୨୦୨୩ ଜାନୁଆରୀରେ ବାରାଣସୀରୁ ଯାତ୍ରା ଆରମ୍ଭ କରିବ ଦେଶର ଦୀର୍ଘତମ ରିଭର୍‌ କ୍ରୁଜ୍‌

ନୂଆଦିଲ୍ଲୀ: ଦେଶର ପର୍ଯ୍ୟଟନରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ଦେଶର ଦୀର୍ଘତମ ରିଭର୍‌ କ୍ରୁଜ୍‌ର ଯାତ୍ରା ୨୦୨୩ ମସିହା, ଜାନୁଆରୀରୁ ବାରାଣସୀ ଠାରେ ଆରମ୍ଭ ହେବାକୁ ଯାଉଛି । ଏହି କ୍ରୁଜ୍‌ ଜରିଆରେ ବାରାଣସୀରୁ ଡିବ୍ରୁଗଡ଼କୁ ଯାତ୍ରା ପ୍ରାୟ ୫୦ ଦିନରେ ଶେଷ ହେବ । କାଜିରଙ୍ଗା ଓ ସୁନ୍ଦରବନ ଭଳି ଅଦ୍ଭୁତ ସ୍ଥଳୀ ମଧ୍ୟଦେଇ ଯାଉଥିବାରୁ ଏହି ଯାତ୍ରା ଅତ୍ୟନ୍ତ ସ୍ମରଣୀୟ ହେବ ।

କାଶୀ ଘାଟରୁ ଯାତ୍ରା ଆରମ୍ଭ ହୋଇ ବାଂଲାଦେଶର ଡିବ୍ରୁଗଡ଼ ମାର୍ଗରେ ଅନେକ ରୋମାଞ୍ଚକର ମୁହୂର୍ତ୍ତର ଏହା ଅନୁଭବ ପ୍ରଦାନ କରିବ । ଏହି ରିଭର୍‌ କ୍ରୁଜ୍‌ ଗଙ୍ଗା ବିଳାସ ଭାରତରେ ନିର୍ମିତ ପ୍ରଥମ ନଦୀ ଜାହାଜ । ଏହାର ଲମ୍ବା ୬୨.୫ ମିଟର, ଚଉଡ଼ା ୧୨.୮ ମିଟର । ଏଥିରେ ୧୮ ସୁଟ୍‌ ରହିବ । ସମସ୍ତ ପ୍ରକାର ସୁରକ୍ଷାକୁ ଦୃଷ୍ଟିରେ ରଖି ଏହା ନିର୍ମିତ ହୋଇଛି । ସମ୍ପୂର୍ଣ୍ଣ ରୂପେ ଦେଶରେ ନିର୍ମିତ ଏହି କ୍ରୁଜ୍‌ର ଯାତ୍ରା ମୋଟ୍‌ ୩୨୦୦ କିମିର ହେବ । ଅଲଗା ଅଲଗା ରାଜ୍ୟରେ ଭିନ୍ନ ଭିନ୍ନ ଭୌଗୋଳିକ ସ୍ଥିତି ଦେଇ ଏହାର ଜଳ ଯାତ୍ରା ବେଶ ରୋମାଞ୍ଚକର ହେବ।

ଭାରତ ଓ ବାଂଲାଦେଶର ୨୭ ରିଭର୍‌ ସିଷ୍ଟମ୍‌ ମଧ୍ୟଦେଇ ଏହା ଅତିକ୍ରମ କରିବ ଏବଂ ୫୦ରୁ ଅଧିକ ସ୍ଥାନରେ ରହିବ । ଦୀର୍ଘତମ ଯାତ୍ରାରେ ମନୋରଞ୍ଜନ ନିମନ୍ତେ ସଙ୍ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଯାତ୍ରୀଙ୍କ ଫିଟ୍‌ନେସ୍‌ ପାଇଁ ଜିମ୍‌ ଆଦି ସୁବିଧା ମଧ୍ୟ ରହିବ । ସମସ୍ତ ପ୍ରକାର ଆଧୁନିକ ସୁବିଧା ଏଥିରେ ଉପଲବ୍ଧ ହେବ । ଏହି ଜଳ ଯାତ୍ରା ମାଧ୍ୟମରେ ଭାରତ ଓ ଅନ୍ୟ ନଦୀରେ ରିଭର୍‌ କ୍ରୁଜିଂ ଉପରେ ସଚେତନତା ବଢ଼ିବ ।

Related Articles

Back to top button