ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଲାଗି ଆଉ ଧାଡିରେ ଅପେକ୍ଷା କରିବାକୁ ପଡିବନି

ଭୁବନେଶ୍ୱର: ଶ୍ରୀମନ୍ଦିର ପ୍ରବେଶ ଲାଗି ଏଣିକି ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଧାଡିରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବନି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପ୍ରବେଶ ଲାଗି ଆଜିଠାରୁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା କରାଯାଇଛି । ସେମାନେ ସ୍ୱତନ୍ତ୍ର ଧାଡିରେ ସିଂହଦ୍ୱାର ବାଟେ ବାଇଶୀ ପାହାଚ ଦେଇ ଶ୍ରୀମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରୁଛନ୍ତି । ସୂଚନା ଅନୁସାରେ, ଅତ୍ୟଧିକ ଗହଳି ଯୋଗୁ ଅଣନିଶ୍ୱାସୀ ହୋଇପଡି ଗତକାଲି ରାତିରେ ୯ ଜଣ ଛାତ୍ରୀ ଶ୍ରୀମନ୍ଦିରରେ ଅଚେତ ହୋଇପଡିଥିଲେ । ସେବାୟତଙ୍କ ସହଯୋଗରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଚିକତ୍ସା ପରେ ସୁସ୍ଥ ଅନୁଭବ କରିବାରୁ ସମସ୍ତ ଆହତ ଛାତ୍ରୀଙ୍କୁ ଆଜି ସକାଳୁ ଛାଡି ଦିଆଯାଇଛି।

ସୂଚନା ଅନୁସାରେ, ସୋମବାର ଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ହୃଦାନନ୍ଦ ସରକାରୀ ଉଚ୍ଚବିଦ୍ୟାଳୟର ୭୦ ଜଣ ଛାତ୍ରଛାତ୍ରୀ ଶ୍ରୀମନ୍ଦିର ଆସିଥିଲେ। ରାତି ପ୍ରାୟ ସାଢ଼େ ସାତଟା ବେଳେ ଭିତରକାଠରୁ ଦର୍ଶନ ବେଳେ ଭକ୍ତଙ୍କ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ଏହି ଭିଡ଼ ଭିତରେ ଦର୍ଶନ କରୁଥିବା ୭୦ଜଣ ଛାତ୍ରୀରୁ ୮ଜଣ ଅଣନିଃଶ୍ବାସୀ ହୋଇ ଚେତାଶୂନ୍ୟ ହୋଇପଡ଼ିଥିଲେ। ତଳେ ପଡ଼ିଯିବାରୁ କିଛି ଭକ୍ତ ବି ଛାତ୍ରୀମାନଙ୍କୁ ଚକଟି ଦେଇଥିଲେ। ପରେ ପାଖରେ ଥିବା ଅନ୍ୟ ଛାତ୍ରୀ ଓ ଶିକ୍ଷକମାନେ ପାଟି କରିବାରୁ ଗହଳି ଭିତରୁ ଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା।

ସେହିପରି ଆଉ ଏକ ଘଟଣାରେ ସ୍ନାନମଣ୍ଡପ ସମ୍ମୁଖରେ ଥିବା ବାରିକେଡ୍‌ରେ ସୋମବାର ଦିନ ଜଣେ ନାବାଳିକାଙ୍କ ମୁଣ୍ଡ ପଶିଯିବାରୁ ସେ ଘଣ୍ଟାଏ ଧରି କଲବଲ ହୋଇଛନ୍ତି। ପରେ ବାରିକେଡ୍‌ ଲୁହାକୁ କାଟି ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇଛି। ନାବାଳିକା ଜଣକ କୋରାପୁଟ ଜିଲ୍ଲା ଜୟପୁରର କମଳ ଲୋଚନ ନାୟକଙ୍କ ଝିଅ ପ୍ରିୟାଂଶୀ ନାୟକ(୭)। ସୋମବାର ଦିନ ପ୍ରିୟଂଶୀ ପରିବାର ସହ ଶ୍ରୀମନ୍ଦିର ବୁଲିବାକୁ ଆସିଥିଲେ। ମହାପ୍ରସାଦ ଖାଇବା ପରେ ସ୍ନାନମଣ୍ଡପଠାରେ ପରିବାର ସହ ଖେଳୁଥିଲେ।

ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ପ୍ରିଂୟାଶୀ ହଠାତ୍‌ ବାରକେଡ୍‌ରେ ମୁଣ୍ଡ ଭର୍ତ୍ତି କରି ଦେଇଥିଲେ। ପରେ ଜେଟିପି ଓ ପୁଲିସ ପହଞ୍ଚି ବହୁସମୟ ଧରି ପ୍ରିୟାଂଶୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସମ୍ଭବ ନ ହେବାରୁ ଅଗ୍ନିଶମ ବିଭାଗର ସହଯୋଗ ଲୋଡ଼ାଯାଇଥିଲା। ପରେ ଅଗ୍ନିଶମ କାର୍ଯ୍ୟାଳୟର ଆଗ୍ନିକମାନେ ବାରିକେଡ୍‌କୁ କଟରରେ କାଟି ପ୍ରିୟାଂଶୀଙ୍କ ମୁଣ୍ଡ ବାହାର କରିଥିଲେ। ବର୍ଷକ ତଳେ ବି ସମାନ ଘଟଣା ଘଟିଥିଲା।

Related Articles

Back to top button