ବୀମା କିସ୍ତି ପୈଠ ଲାଗି ମିଳୁଛି ଋଣ ସୁବିଧା

ନୂଆଦିଲ୍ଲୀ:  ବର୍ତ୍ତମାନ ସମୟରେ ଲୋକେ ନିଜର ଇନସ୍ୟୁରାନ୍ସ କରିବାକୁ ଜରୁରି ମଣୁଛନ୍ତି, କାରଣ ସେମାନଙ୍କ ପରିବାରର ଭବିଷ୍ୟତ ସୁରକ୍ଷିତ ହୋଇପାରିବ। ହେଲେ ବେଳେ ବେଳେ ଏପରି ପରିସ୍ଥିତି ଉପୁଜେ ବୀମାର କିସ୍ତି ଜମା ଲାଗି ପଇସା ଯୋଗାଡ ହୋଇପାରେନି। ଏପରି ପରିସ୍ଥିତିରେ ଆପଣଙ୍କ ବୀମା ରଦ୍ଦ ହୋଇପାରେ। ହେଲେ ଏବେ ବୀମା କିସ୍ତି ପୈଠ ଲାଗି ଋଣ ସୁବିଧା ମଧ୍ୟ ମିଳୁଛି। ଋଣ ନେଇ ଆପଣ ବୀମା କିସ୍ତି ପୈଠ କରିପାରିବେ।

ଭାରତୀୟ ବୀମା ବିନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏ) ଇନସ୍ୟୁରାନ୍ସ କରିଥିବା ଗ୍ରାହକଙ୍କ ଲାଗି ଖୁବ୍ ଶୀଘ୍ର ଖୁସିଖବର ଦେବାକୁ ଯାଉଛନ୍ତି। ଏଥିରେ ରିଟେଲ ଓ କର୍ପୋରେଟ ଉଭୟ ବୀମା ଗ୍ରାହକଙ୍କ ଲାଗି ପ୍ରିମିୟମ ଫାଇନାନ୍ସ ପ୍ରୋପଜାଲ ଆଣିବେ। ଲୋକେ ବୀମା ପ୍ରିମିୟମ ଥରକରେ ପୈଠ କରିଦିଅନ୍ତୁ ଓ ଏ ବାବଦ ଦେୟ କିସ୍ତିରେ ପୈଠ କରନ୍ତୁ ଏହା ଆଇଆରଡିଏଙ୍କ ଯୋଜନା। ଏକା ଥରକେ ପୈଠ କରିବା ଅପେକ୍ଷା ଇଏମଆଇରେ ପୈଠ କରିବା ପ୍ରାୟତଃ ଶରଳ ହୋଇଥାଏ।

ତେବେ ଇନସ୍ୟୁରାନ୍ସ ପ୍ରିମିୟମ ପୈଠ ଲାଗି ଲୋନ ମିଳୁଥିଲେବି ଏହାର ଉପଯୋଗ ସେତେବେଳେ କରନ୍ତୁ ଯେତେବେଳେ ଏହା ଆପଣଙ୍କ ଲାଗି ନିତ୍ୟାନ୍ତ ଜରୁରି। ଅନ୍ୟଥା ବୀମା ଆପଣଙ୍କ ଲାଗି ମହଙ୍ଗା ହୋଇପାରେ। କାରଣ ଇନସ୍ୟୁରାନ୍ସ କିସ୍ତି ପୈଠ ପାଇଁ ଋଣ ନେଉଥିଲେବି ଏଥିଲାଗି ଆପଣଙ୍କୁ ସବୁ ପ୍ରକାର ଚାର୍ଜ ପୈଠ କରିବାକୁ ପଡିଥାଏ। ପ୍ରୋସେସିଂ ଚାର୍ଜରୁ ଆରମ୍ଭ କରି ସୁଧ ଓ ଜିଏସଟି ଆଦି ପୈଠ କରିବାକୁ ହୋଇଥାଏ। ଏଣୁ ବୀମା ମହଙ୍ଗା ହେବା ସ୍ୱଭାବିକ।

କୌଣସି ବ୍ୟକ୍ତି ବୀମା କରିବା ଦ୍ୱାରା ପରିବାରର ଭବିଷ୍ୟତକୁ ନେଇ ନିଶ୍ଚିତ ହୋଇଯାଇଥାଏ। ଯଦି ବୀମା କରିଥିବା ବ୍ୟକ୍ତିଙ୍କର କିଛି ହୋଇଯାଏ ତେବେ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ଆବର୍ତ୍ତମାନରେ କାହା ଉପରେ ନିର୍ଭର କରିବାକୁ ପଡେନି। ବୀମା ଲାଗି ପୁରା ଜୀବନ ପ୍ରତିବର୍ଷ କିଛି କିଛି ସଞ୍ଚୟ କରିବାକୁ ପଡିଥାଏ ଓ ଘଟଣା ଦୁର୍ଘଟଣାରେ ଏକକାଳୀନ ବୀମା ରାଶି ମିଳିଥାଏ।

Related Articles

Back to top button