ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଲାଗି ଓଡ଼ିଆ କିମ୍ବା ଇଂରାଜୀ ଭାଷାକୁ ବିକଳ୍ପ ଭାବେ ଚୟନ କରିପାରିବେ ପ୍ରାର୍ଥୀ – ଓପିଏସସି ପକ୍ଷରୁ ସ୍ପଷ୍ଟୀକରଣ

ଭୁବନେଶ୍ୱର: ଓଡ଼ିଆରେ ଓସିଏସ୍‌ (ଓଡ଼ିଶା ପ୍ରଶାସନିକ ସେବା) ପରୀକ୍ଷା ହେବା ନେଇ ମଙ୍ଗଳବାର ସ୍ପଷ୍ଟୀକରଣ ରଖିଛି ଓପିଏସସି (ଓଡ଼ିଶା ଲୋକସେବା ଆୟୋଗ) । ଓପିଏସସିର ବିଜ୍ଞପ୍ତି ଅନୁଯାୟୀ ଆଶାୟୀମାନେ ଓଡ଼ିଆରେ ଓଡ଼ିଶା ସିଭିଲ ସର୍ଭିସ-୨୦୨୨ ପରୀକ୍ଷା ଦେଇପାରିବେ । କେବଳ ଭାଷା ଓ ସଂସ୍କୃତି ସମ୍ପର୍କିତ ବିଷୟକୁ ବାଦ ଦେଲେ ଅବଶିଷ୍ଟ ବିଷୟ ଛାତ୍ରଛାତ୍ରୀ ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ଦେଇ ପାରିବେ ।

ତେବେ ଅନ୍‌ଲାଇନ୍‌ରେ ଆବେଦନ ସମୟରେ ପରୀକ୍ଷାର୍ଥୀମାନେ ଇଂରାଜୀ କିମ୍ୱା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବେ ଚୟନ କରିବେ । କିନ୍ତୁ ଆବେଦନ ପତ୍ରରେ ଓଡ଼ିଆ କିମ୍ୱା ଇଂରାଜୀ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଥରେ ଉଲ୍ଲେଖ କରିସାରିବା ପରେ ଏହାକୁ ପରିବର୍ତ୍ତନ କରାଯାଇପାରିବ ନାହିଁ ।

ପରୀକ୍ଷାର୍ଥୀମାନେ ପ୍ରାରମ୍ଭିକ(ପ୍ରିଲିମ୍‌), ମୁଖ୍ୟ(ମେନ୍‌) ଲିଖିତ ପରୀକ୍ଷା ଓ ବ୍ୟକ୍ତିଗତ ସାକ୍ଷାତକାର ପରୀକ୍ଷା ପାଇଁ ଇଂରାଜୀ କିମ୍ୱା ଓଡ଼ିଆ ଭାଷାକୁ ବିକଳ୍ପ ମାଧ୍ୟମ ଭାବରେ ଚୟନ କରିପାରିବେ । ଏହି ବ୍ୟବସ୍ଥା ପ୍ରବନ୍ଧ ଲେଖିବା ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ମାତ୍ର ଭାଷା ବିଷୟରେ ଏହି ବିକଳ୍ପ ରହିବ ନାହିଁ ବୋଲି ଓପିଏସସି ଦର୍ଶାଇଛି । ହେଲେ ପ୍ରଶ୍ନପତ୍ର ସମ୍ପର୍କରେ କୌଣସି ସ୍ପଷ୍ଟତା ରଖାଯାଇ ନଥିବାବେଳେ ଓସିଏସ ପରୀକ୍ଷା ସମ୍ପର୍କିତ ରାଜ୍ୟ ସରକାରଙ୍କ ଗେଜେଟ୍‌ ନିଷ୍ପତ୍ତି ଅନୁଯାୟୀ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ଓବିଏସସି ସଚିବ ଦର୍ଶାଇଛନ୍ତି । ତେବେ ଆବେଦନ ସମୟରେ ଆଶାୟୀ ଚୟନ କରିଥିବା ଭାଷା ଅନୁଯାୟୀ ସେମାନେ ପରୀକ୍ଷା ଦେବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Related Articles

Back to top button