ଗଞ୍ଜାମ ଜିଲାପାଳଙ୍କୁ ବିଡିଏ ଅଧ୍ୟକ୍ଷ ଦାୟିତ୍ବ

ବ୍ରହ୍ମପୁର:ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଅଧ୍ୟକ୍ଷ ଭାବେ ଗଞ୍ଜାମ ଜିଲାପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏନେଇ ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ସମସ୍ତ ନିର୍ଦେଶକୁ ବାତିଲ୍‌ କରି ନୂତନ ନିର୍ଦେଶ ପ୍ରକାରେ ଜିଲାପାଳଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ଏହି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ବିଡିଏ ଅଧ୍ୟକ୍ଷ ଭାବେ ଶାସକ ଦଳର ନେତାଙ୍କୁ ଥଇଥାନ କରାଯାଉଥିବା ବେଳେ ଏଥର ଜିଲାପାଳଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ନେତା ନୁହଁ, ବରଂ ପ୍ରଶାସକଙ୍କ ଭାଗରେ ପଡ଼ିଛି ବିଡିଏ।

ଏହା ପୂର୍ବରୁ ବିଡିଏ ଅଧ୍ୟକ୍ଷ ଥିଲେ ବରିଷ୍ଠ ବିଜେଡ଼ି ନେତା ସୁବାସ ମହାରଣା। ସେ ୨୦୧୪ ମସିହାରୁ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରାୟ ୫ ବର୍ଷ ଦେଢ଼ ମାସ ଯାଏଁ ଅଧ୍ୟକ୍ଷ ଚୌକିରେ ବସିଥିଲେ। ତାଙ୍କ ପଦବୀ ଯିବା ପରେ ଆଉ କାହାକୁ ଅଧ୍ୟକ୍ଷ ପଦବୀ ମିଳିନଥିଲା। ବରଂ ପ୍ରଶାସନିକ ଅଧିକାରୀମାନେ ଉପାଧ୍ୟକ୍ଷ ଦାୟିତ୍ବରେ ରହି ମୁଖିଆ ହୋଇଥିଲେ। ତେବେ ଉପାଧ୍ୟକ୍ଷ ଭାବେ କେବଳ ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତମାନେ ଦାୟିତ୍ବରେ ରହୁଥିଲେ। ପ୍ରଥମେ ଚକ୍ରବର୍ତ୍ତି ସିଂ ରାଠୋର, ପରେ ପରେ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଏବଂ ବର୍ତ୍ତମାନ ଜେ.ସୋନାଲ ଉପାଧ୍ୟକ୍ଷ ଦାୟିତ୍ବରେ ଅଛନ୍ତି। ଗତ ୯ ତାରିଖରେ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ନିଗମ, ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ, ଉପଦେଷ୍ଠା ଏବଂ ସଦସ୍ୟଙ୍କ ନାମ ଘୋଷଣା ହୋଇଥିଲା। ସେଥିରେ ଗଞ୍ଜାମ ଆଞ୍ଚଳିକ ଟ୍ରଷ୍ଟର ଅଧ୍ୟକ୍ଷଙ୍କ ନାମ ମଧ୍ୟ ଘୋଷଣା ହୋଇଛି। କିନ୍ତୁ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଅଧ୍ୟକ୍ଷ ଭାବେ କାହାରି ନାମ ଘୋଷଣା କରାଯାଇ ନଥିଲା। ପୂର୍ବରୁ ଅଧ୍ୟକ୍ଷ ଥିବା ସୁବାସ ମହାରଣାଙ୍କୁ ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ଦାୟିତ୍ବ ମିଳିଥିଲା। ଏଣୁ ବିଡିଏ ଅଧ୍ୟକ୍ଷ ପଦବୀରେ ଶାସକ ଦଳର କେଉଁ ନେତା ବସିବେ, ତାହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିଲା। ବିଜୁ ଜନତା ଦଳର ବିଭିନ୍ନ ଗୋଷ୍ଠୀ ଏହି ପଦବୀ ପାଇବା ପାଇଁ ଆଶାରେ ରହିଥିଲେ । ହେଲେ ବର୍ତ୍ତମାନ ଜିଲାପାଳଙ୍କୁ ଅଧ୍ୟକ୍ଷ ଦାୟିତ୍ବ ମିଳିବା ପରେ ଅନେକ ଆଶାୟୀ ନିରାଶ ହୋଇଛନ୍ତି। ନେତାଙ୍କ ଭାଗରେ ପଡ଼ୁଥିବା ବିଡିଏ ଏଥର ପ୍ରଶାସକ ଭାଗରେ ପଡ଼ିଛି। ଏହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଲାଗି ରହିଛି।

Related Articles

Back to top button