ଦେଶର ୫୦୦ଟି ହଲରେ ରିଲିଜ୍ ହେବ ଓଡ଼ିଆ ଫିଲ୍ମ ‘ଦମନ’

ଭୁବନେଶ୍ୱର: ଗୋଟିିଏ ପରେ ଗୋଟିଏ ସଫଳତାର ସିଡ଼ି ଚଢ଼ି ଆଗକୁ ମାଡ଼ି ଚାଲିଛି ଓଡ଼ିଆ ଫିଲ୍ମ ‘ଦମନ’ । ଓଡ଼ିଆ ସୁପରଷ୍ଟାର ବାବୁସାନ ମହାନ୍ତିଙ୍କ ଅଭିନୀତ ଏହି ଫିଲ୍ମଟି ଗତ ଦୁଇ ସପ୍ତାହ ମଧ୍ୟରେ ପାଖାପାଖି ୨ କୋଟି ଟଙ୍କାର ବ୍ୟବସାୟ କରିସାରିଲାଣି । ଦୀର୍ଘଦିନ ପରେ ପ୍ରଥମ ଥର ପାଇଁ ଏକ ଓଡ଼ିଆ ଫିଲ୍ମକୁ ନେଇ ଓଡ଼ିଶାର ଘରେ ଘରେ ବେଶ୍ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ହଲରୁ ଫେରିବା ପରେ ଦର୍ଶକମାନେ ଫିଲ୍ମର ଷ୍ଟୋରିକୁ ନେଇ ବେଶ୍ ପ୍ରଶଂସା କରୁଥିବା ଦେଖାଯାଉଛି ।

ତେବେ ଫିଲ୍ମଟି କେବଳ ଓଡ଼ିଶାରେ ସୀମିତ ରହି ନାହିଁ । ଏହି ଫିଲ୍ମର କାହାଣୀକୁ ନେଇ ବଲିଉଡରେ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି । ଏକ ବଡ଼ କମ୍ପାନୀ ‘ଦମନ’ର କପି ରାଇଟ କିଣିବାକୁ ଯାଉଥିବା ଫିଲ୍ମର ମିଡ଼ିଆ ପ୍ଲାନର ସୂଚନା ଦେଇଛନ୍ତି । ଏହା ମଧ୍ୟରେ ଫିଲ୍ମର ଅଭିନେତା ବାବୁସାନ ଫିଲ୍ମର ଡବିଂ ପାଇଁ ମୁମ୍ବାଇ ଯାତ୍ରା କରିଛନ୍ତି । ଆଞ୍ଚଳିକ ଭାଷାକୁ ଛାଡ଼ି ଫିଲ୍ମର ଅନ୍ୟ ସବୁ ଡବିଂ କରାଯିବା ସହ ଗୀତକୁ ହିନ୍ଦିରେ ପ୍ରସ୍ତୁତ କରାଯିବ । ଏହି ଫିଲ୍ମକୁ ସାଉଥ ଇଣ୍ଡିଆନ ଭାଷାରେ ମଧ୍ୟ ନିର୍ମାଣ କରାଯିବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସଙ୍କେତ ମିଳିଛି ।

ବର୍ତ୍ତମାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅବସ୍ଥା ଯାହା ତାହା କହିବା ସମ୍ଭବପୁର ନୁହେଁ । ମାତ୍ର ‘ଦମନ’ ମାଧ୍ୟମରେ ଓଡ଼ିଆ ଫିଲ୍ମ ଜାତୀୟ ସ୍ତରର ନିଜର ଅସ୍ତିତ୍ୱ ବଜାୟ ରଖିପାରିବ ବୋଲି ଆଶା କରାଯାଉଛି । ଏହି ଫିଲ୍ମ ଇଣ୍ଟରନେଟ ମୁଭି ଡାଟାବେସ (ଆଇଏମଡିବି) ରେଟିଂରେ ଆରଆରଆର ଓ କେଜିଏଫ-୨କୁ ମଧ୍ୟ ପଛରେ ପକାଇ ଦେଇଥିବା ଜଣାପଡ଼ିଛି । ନିକଟରେ ଫିଲ୍ମଟି ବେଙ୍ଗାଲୁରୁ, ଚେନ୍ନାଇ, ମୁମ୍ବାଇ, କୋଲକାତା, ରାୟପୁର ଓ ଅହମ୍ମଦାବାଦ ଭଳି ୬ଟି ବଡ଼ ସହରରେ ମୁକ୍ତିଲାଭ କରିସାରିଥିବା ବେଳେ ଆଗାମୀ ଦିନରେ ଦେଶର ୫୦୦ଟି ହଲରେ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି ।

Related Articles

Back to top button