‘ଜେଲର’ର ଜଲୱା ଜାରି, ଦୁଇ ଦିନରେ ହିଁ ୧୫୦ କୋଟି କଲେକ୍ସନ
ଗୋଟିଏ ପଟେ ସନୀ ଦେଓଲଙ୍କ ଗଦ୍ଦର-୨ ଓ ଅକ୍ଷୟ କୁମାରଙ୍କ OMG-2 ସିନେମାଘରରେ କମାଲ କରୁଛନ୍ତି । ସେହିପରି ଏହି ଦୁଇ ଫିଲ୍ମଠାରୁ ଗୋଟେ ଦିନ ପୂର୍ବେ ଥିଏଟର୍ସରେ ଝଡ଼ ନେଇ ଆସିଥିବା ରଜନୀକାନ୍ତଙ୍କ ଜେଲର ମଧ୍ୟ ଧମାଲ କରୁଛି । ରଜନୀକାନ୍ତ ଏହି ଫିଲ୍ମ ଜରିଆରେ ଦୁଇ ବର୍ଷ ପରେ ଥିଏଟର୍ସକୁ ଫେରିଛନ୍ତି । ଜେଲର ପୂର୍ବରୁ ତାଙ୍କର ଫିଲ୍ମ ପେଟ୍ଟା, ଦରବାର ଏବଂ ଅନ୍ନାଥେ ବକ୍ସ ଅଫିସରେ ସେତେଟା ଖାସ୍ ପ୍ରଦର୍ଶନ କରିନଥିଲେ ।
ଜେଲରରେ ରଜନୀକାନ୍ତଙ୍କ ମାସ୍ ଅବତାର ଫାର୍ଷ୍ଟ ଲୁକରୁ ହିଁ ନଜର ଆସିବାକୁ ଲାଗିଥିଲା ଏବଂ ଫ୍ୟାନ୍ସ ଫିଲ୍ମରୁ ଧମାକାଦାର ଆକ୍ସନ ଏଣ୍ଟରଟେନମେଣ୍ଟର ଆଶା ରଖିଥିଲେ । ଏହି ଆଶା ଅନୁଯାୟୀ ରାଜନୀକାନ୍ତଙ୍କ ଫିଲ୍ମ ଭଲ ପ୍ରଦର୍ଶନ କରିଛି । ଗଦ୍ଦର-୨ ଏବଂ OMG-୨ ଠୁ ଗୋଟେଦିନ ପୂର୍ବେ ଗୁରୁବାର ଜେଲର ଥିଏଟର୍ସରେ ରିଲିଜ ହୋଇଥିଲା । ପ୍ରଥମ ଦିନରେ ହିଁ ଭାରତରେ ୪୮ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଥିବା ଏହି ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ଚମତ୍କାର କଲେକ୍ସନ କରିଛି । ଇଣ୍ଡିଆଠୁ ନେଇ ୟୁଏସ୍ ପର୍ଯ୍ୟନ୍ତ ରଜନୀକାନ୍ତଙ୍କ ଜଲୱା ବକ୍ସ ଅଫିସରେ ରହିଛି ।
ଦୁଇ ଦିନରେ ହିଁ ଜେଲରର ଧୂଆଁଧାର କଲେକ୍ସନ ପ୍ରମାଣିତ କରିଦେଇଛି ଯେ ୭୨ ବର୍ଷୀୟ ରଜନୀକାନ୍ତ ଏବେବି ବକ୍ସ ଅଫିସ କିଙ୍ଗ ଅଟନ୍ତି । ପାଞ୍ଚଟି ଭାଷାରେ ରିଲିଜ ହୋଇଥିବା ଜେଲରକୁ ସବୁଠି ଭଲପାଇବା ମିଳୁଛି । ଉତ୍ତର ଭାରତରେ ଗଦ୍ଦର-୨ ଏବଂ OMG-2 ପାଇଁ ଜେଲରକୁ ଅଧିକ ଶୋ’ ମିଳିନାହିଁ । ହେଲେ ଦିଲ୍ଲୀ ଏନସିଆର ଭଳି ସ୍ଥାନରେ ଫିଲ୍ମର ଯେତିକି ବି ଶୋ ରହିଛି ସେଥିରେ ହାଉସଫୁଲ୍ ଦେଖାଯାଇଛି । ରାଜନୀକାନ୍ତଙ୍କ ଫିଲ୍ମ ଜେଲର ପ୍ରଥମ ଦିନରେ ହିଁ ୱାର୍ଲୱାଇଡ୍ ବକ୍ସ ଅଫିସରେ ୯୫.୭୮ କୋଟି ଟଙ୍କାର ଗ୍ରସ କଲେକ୍ସନ କରିଥିଲା ।
ଏବେ ରିପୋର୍ଟ କହୁଛି ଯେ ରଜନୀକାନ୍ତଙ୍କ ଫିଲ୍ମ ଦ୍ୱିତୀୟ ଦିନରେ ମଧ୍ୟ ୱାର୍ଲୱାଇଡ ୫୬ କୋଟିର କଲେକ୍ସନ କରିଛି । ଅର୍ଥାତ ଦୁଇଦିନରେ ୧୫୦ କୋଟିରୁ ଅଧିକ ଆୟ କରିଛି ଫିଲ୍ମ । ଗୁରୁବାର ଧମାକାଦାର ଓପନିଂ କରିଥିବା ଜେଲର ଶନିବାର ଏବଂ ରବିବାର ମଧ୍ୟ ଧୂଆଁଧାର କଲେକ୍ସନ କରିବ ବୋଲି ଅନୁମାନ କରାଯାଉଛି । ଭାରତରେ ଜେଲର ପ୍ରଥମ ଦିନରେ ୪୮ କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ୨୬ କୋଟି ଟଙ୍କା ଆୟ କରିଛି । ଭାରତରେ ଦୁଇଦିନରେ ମୋଟ ୭୪ କୋଟି ଟଙ୍କା କଲେକ୍ସନ ହୋଇଛି । ଶନିବାର ଅର୍ଥାତ ଆଜି ୩୦ ରୁ ୩୨ କୋଟି ଟଙ୍କା କଲେକ୍ସନ ହେବା ନେଇ ଆଶଙ୍କା କରାଯାଉଛି ।