ଚୋଳ ରାଜାଙ୍କ ଶାସନ ସମୟରେ ହିନ୍ଦୁ ଧର୍ମ ନଥିଲା: କମଲ ହସନ

ଚେନ୍ନାଇ: ହିନ୍ଦୁ ଧର୍ମର ଅସ୍ତିତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତାମିଲ ଫିଲ୍ମ ଷ୍ଟାର୍ କମଲ ହସନ। ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଯାଇଛି। ନିକଟରେ ଜାତୀୟ ସିନେମା ପୁରସ୍କାର ପାଇଥିବା ତାମିଲ ନିର୍ଦ୍ଦେଶକ ଭେତ୍ରିମାରନ ହିନ୍ଦୁ ଧର୍ମର ଇତିହାସକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ରାଜରାଜା ଚୋଳ ହିନ୍ଦୁ ନଥିଲେ ବୋଲି ଭେତ୍ରିମାରନ କହିଥିଲେ। ଯାହାକୁ ସମର୍ଥନ କରି ବିବାଦରେ ଫସିଛନ୍ତି ତାମିଲ ସୁପରଷ୍ଟାର କମଲ ହସନ।

ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭେତ୍ରିମାରନ କହିଛନ୍ତି “ରାଜରାଜ ଚୋଳ ହିନ୍ଦୁ ନଥିଲେ। କିନ୍ତୁ ସେମାନେ(ବିଜେପି) ଆମ ପରିଚୟ ଛଡ଼ାଇ ନେବାକୁ ଚାହୁଁଛନ୍ତି। ସେମାନେ ପୂର୍ବରୁ ହିଁ ଥିରୁଭଲ୍ଲୁଭରର ଗେରୁଆକରଣ କରିବାକୁ ଚେଷ୍ଟା କରିସାରିଛନ୍ତି। ଆମେ ଏହାକୁ ଅନୁମତି ଦେବା ଉଚିତ ନୁହେଁ।”

କାର୍ଯ୍ୟକ୍ରମରେ କମଲ ହସନ ମଧ୍ୟ ଉପସ୍ଥିତ ଥିଲେ। ସେ ଭେତ୍ରିମାରନଙ୍କ ମନ୍ତବ୍ୟକୁ ସମର୍ଥନ କରି କହିଥିଲେ “ରାଜରାଜା ଚୋଳଙ୍କ ସମୟରେ ହିନ୍ଦୁ ଧର୍ମ ନାଁ ନଥିଲା। ସେତେବେଳେ ବୈଷ୍ଣବମ, ଶୈବମ ଓ ସମାନମ ଥିଲେ। ତେବେ ବ୍ରିଟିସ ହିଁ ‘ହିନ୍ଦୁ’ ଶବ୍ଦର ବ୍ୟବହାର କରିଥିଲେ। କାରଣ ସମସ୍ତଙ୍କୁ ଗୋଟିଏ ନାଁରେ କେମିତି ସମ୍ବୋଧନ କରିବେ ବ୍ରିଟିସରମାନେ ଜାଣିପାରୁ ନଥିଲେ। ଠିକ୍ ଯେମିତି ଥୁଥୁକୁଡିର ନାମ ବଦଳାଇ ତୁତିକୁରିନ କରିଥିଲେ ସେମିତି।”

ରିଲିଜ୍ ହୋଇଥିବା ମଣିରତ୍ନମଙ୍କ ଫିଲ୍ମ ପୋନ୍ନିୟିନ୍ ସେଲଭନ-୧ ଫିଲ୍ମକୁ ନେଇ ଚର୍ଚ୍ଚା ହେଉଥିଲା ରାଜରାଜ ଚୋଳଙ୍କ ଶାସନ ସମୟ ଉପରେ ପର୍ଯ୍ୟବେଶିତ ଏକ ଉପନ୍ୟାଶର କାହାଣୀକୁ ନେଇ ଫିଲ୍ମଟି ତିଆରି ହୋଇଛି। ଏହା ଉପରେ ହୋଇଥିବା ଏକ ଚର୍ଚ୍ଚାକୁ ନେଇ ନିର୍ଦ୍ଦେଶକ ଭେତ୍ରିମାରନ ଏଭଳି ମନ୍ତବ୍ୟ ଦେଇଥିଲେ।

ଭେତ୍ରିମାରନଙ୍କର ଏଭଳି ମନ୍ତବ୍ୟର ଜବାବ ଦେଇଛନ୍ତି ବିଜେପି ନେତା ଏଚ୍ ରାଜା। ସେ କହିଛନ୍ତି ଯେ ରାଜାରାଜ ଚୋଳ ବାସ୍ତବରେ ହିନ୍ଦୁ ରାଜା ଥିଲେ। ଭେତ୍ରିମାରନଙ୍କ ଉପରେ ପ୍ରଶ୍ନ ଉଠାଇ ସେ କହିଛନ୍ତି “ମୁଁ ଭେତ୍ରିମାରନଙ୍କ ଭଳି ଭଲଭାବରେ ଇତିହାସ ଜାଣିନି। ତେବେ ସେ ରାଜାରାଜ ଚୋଳଙ୍କ ଦ୍ୱାରା ନିର୍ମିତ ଦୁଇଟି ମସ୍‌ଜିଦ୍ ଓ ଚର୍ଚ୍ଚ ବିଷୟରେ ଆଲୋଚନା କରିବା ଦରକାର। ସେ ନିଜକୁ ଶିବପଦ ସେକରନ ବୋଲି କହିଥିଲେ। କଣ ସେ ହିନ୍ଦୁ ନଥିଲେ?”

ତେବେ ରାଜାରାଜ ଚୋଳକୁ ନେଇ ତାମିଲନାଡୁରେ ଏଭଳି ବିବାଦ ଉଠିବା ପ୍ରଥମ ଘଟଣା ନୁହେଁ। ୨୦୧୯ରେ ଫିଲ୍ମ ନିର୍ଦ୍ଦେଶକ ପିଏ ରଞ୍ଜିତ୍ ଚୋଳ ରାଜରାଜା ସମାଲୋଚନା କରି ବିବାଦକୁ ଆସିଥିଲେ। ଏହି ରାଜାଙ୍କ ଶାସନ ସମୟ ଦଳିତମାନଙ୍କ ପାଇଁ ଅନ୍ଧକାରର ଯୁଗ ଥିଲା। ରାଜରାଜା ଚୋଳଙ୍କ ସମୟରେ ଦଳିତଙ୍କ ଜମି ହଡ଼ପ କରି ଲୋକମାନଙ୍କର ଜାତି ପରିବର୍ତ୍ତନ କରାଯାଉଥିଲା ବୋଲି ପିଏ ରଞ୍ଜିତ କହିଥିଲେ।

Related Articles

Back to top button