ଦୁଇଟି ରାଜ୍ୟରେ ରହିଛି ନାଭାପୁର ରେଳ ଷ୍ଟେସନର ଏକ ବେଞ୍ଚ
ନୂଆଦିଲ୍ଲୀ: ଭାରତର କେତେକ ଷ୍ଟେସନ ନିଜର ସୌନ୍ଦର୍ଯ୍ୟ କିମ୍ବା ଲମ୍ବା ପ୍ଲାଟଫର୍ମକୁ ନେଇ ବେଶ ଜଣାଶୁଣା । ମହାରାଷ୍ଟ୍ରର ନନ୍ଦୁରବର ଜିଲ୍ଲାରେ ରହିଛି ନାଭାପୁର ରେଳ ଷ୍ଟେସନ । ଏହି ଷ୍ଟେସନର ବିଶେଷତ୍ୱ ହେଉଛି ଏହା ଗୋଟିଏ ରାଜ୍ୟରେ ନୁହେଁ ବରଂ ଦୁଇଟି ରାଜ୍ୟରେ ରହିଛି । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ଏକଦମ ସତ । ଷ୍ଟେସନର ଦୁଇଟି ଅଂଶ ରହିଛି।
ଷ୍ଟେସନର ଗୋଟିଏ ଅଂଶ ଗୁଜୁରାଟରେ ଥିବା ବେଳେ ଅନ୍ୟ ଅଂଶ ମହାରାଷ୍ଟ୍ରରେ ଅଛି। ଏଠାରେ ବସିବା ପାଇଁ ଏକ ବେଞ୍ଚ ଅଛି ଯାହାର ଅଧା ମହାରାଷ୍ଟ୍ରରେ ଥିବାବେଳେ ଅନ୍ୟ ଅଂଶ ଗୁଜୁରାଟରେ ରହିଛି । ପଶ୍ଚିମ ରେଳବାଇର ନାଭାପୁର ରେଳ ଷ୍ଟେସନ ମହାରାଷ୍ଟ୍ର ଏବଂ ଗୁଜୁରାଟର ସୀମାରେ ଅବସ୍ଥିତ । ଏଠାକୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଚାରୋଟି ଭିନ୍ନ ଭାଷାରେ ଟ୍ରେନ ସମ୍ପର୍କିତ ସୂଚନା ଘୋଷଣା କରାଯାଇଥାଏ। ଇଂରାଜୀ, ଗୁଜରାଟୀ, ହିନ୍ଦୀ ଏବଂ ମରାଠୀ ଭାଷାରେ ଯାତ୍ରୀମାନଙ୍କ ପାଇଁ ଏଠାରେ ଘୋଷଣା କରାଯାଇଥାଏ। ନାଭାପୁର ରେଳ ଷ୍ଟେସନର ଆରପିଏଫ ଷ୍ଟେସନ୍ ଏବଂ ଟିକେଟ୍ କାଉଣ୍ଟର ମହାରାଷ୍ଟ୍ର ରାଜ୍ୟରେ ଥିବାବେଳେ ଷ୍ଟେସନମାଷ୍ଟରଙ୍କ ଅଫିସ୍ ଗୁଜୁରାଟର ତାପି ଜିଲ୍ଲାରେ ରହିଛି ।
ଏହି ଷ୍ଟେସନରେ ଉଭୟ ଗୁଜୁରାଟ ଏବଂ ମହାରାଷ୍ଟ୍ରର ନିୟମ ଲାଗୁ ହୋଇଥାଏ । ଗୁଜୁରାଟରେ ମଦ୍ୟପାନ ନିଷେଧ, ଏବଂ ମହାରାଷ୍ଟ୍ରରେ ପାନ ମସାଲା ଏବଂ ଗୁଟଖା ବିକ୍ରି ପାଇଁ ଅନୁମତି ନାହିଁ। ଏହି ଷ୍ଟେସନ ସେହି ଅନୁସାରେ ଚାଲିଥାଏ ।