
ଆର୍ଥିକ ହେରଫେର୍ ମାମଲାରେ ରବର୍ଟଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଛି । ଆର୍ଥିକ ହେରଫେର୍ ମାମଲାରେ ରବର୍ଟଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାର୍ଜସିଟ୍ ଦାଖଲ କରିଛି । ଏହା ସହିତ ତାଙ୍କର ୪୩ଟି ସମ୍ପତ୍ତିକୁ ମଧ୍ୟ ଇଡି ଜବତ କରିଛି । ଇଡି ଶିକୋହପୁର ଜମି କିଣାବିକା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଚାର୍ଜସିଟରେ ରବର୍ଟ ଭଦ୍ରାଙ୍କ ବ୍ୟତୀତ ଅନ୍ୟ କମ୍ପାନୀଗୁଡ଼ିକର ନାମ ମଧ୍ୟ ସାମିଲ ରହିଛି ।
ଏହି ମାମଲା ହରିୟାଣାର ମାନେସର-ଶିକୋହପୁରରେ ଏକ ଜମି ଚୁକ୍ତିନାମା ସହିତ ଜଡିତ ଅଟେ । ଯାହାକି ବର୍ତ୍ତମାନ ଗୁରୁଗ୍ରାମର ସେକ୍ଟର ୮୩ ଅବସ୍ଥିତ । ଏହି ଜମି ଚୁକ୍ତିନାମା ୨୦୦୮ ମସିହାରେ ସ୍କାଇଲାଇଟ୍ ହସପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ନାମରେ କରାଯାଇଥିଲା। ପୂର୍ବରୁ ରବର୍ଟ ଏହି କମ୍ପାନୀର ନିର୍ଦ୍ଦେଶକ ଥିଲେ । ଓମକାରେଶ୍ୱର ପ୍ରପର୍ଟିଜ୍ ଠାରୁ ମାତ୍ର ୭.୫ କୋଟି ଟଙ୍କାରେ ୩.୫ ଏକର ଜମି କିଣାଯାଇଥିଲା। ସେତେବେଳେ କଂଗ୍ରେସ ସରକାର ଥିଲା ଏବଂ ଭୂପିନ୍ଦର ସିଂହ ହୁଡା ମୁଖ୍ୟମନ୍ତ୍ରୀ ଥିଲେ । କମ୍ପାନୀ ସେପ୍ଟେମ୍ବର ୨୦୧୨ ରେ ଏହି ଜମିକୁ ୫୮ କୋଟି ଟଙ୍କାରେ ଡିଏଲ୍ଏଫକୁ ବିକ୍ରି କରିଥିଲା । ପ୍ରକୃତରେ, ଏହି ମାମଲା ସେତେବେଳେ ଚର୍ଚ୍ଚାରେ ଆସିଥିଲା ଯେତେବେଳେ ୨୦୧୨ ରେ ଆଇଏଏସ୍ ଅଧିକାରୀ ଅଶୋକ ଖେମକା ଏହି ଜମି ଚୁକ୍ତିର ମ୍ୟୁଟେସନ୍ ବାତିଲ କରିଥିଲେ।
୧୪ ଜୁଲାଇରେ ଇଡି ରବର୍ଟ ଭାଦ୍ରାଙ୍କୁ ଦୀର୍ଘ ୫ ଘଣ୍ଟା ଧରି ଗୁଡ଼ାଇ ତୁଡ଼େଇ ଜେରା କରିଥିଲା । ଲଣ୍ଡନସ୍ଥିତ ଅସ୍ତ୍ରଶସ୍ତ୍ର ପରାମର୍ଶଦାତା ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡିତ ମନି ଲଣ୍ଡରିଂ ମାମଲା ସମ୍ପର୍କରେ ଇଡି ଜେରା କରିଥିଲା । ମନି ଲଣ୍ଡ୍ରିଂ ନିବାରଣ ଆଇନ ଅନୁଯାୟୀ ତାଙ୍କର ବୟାନ ରେକର୍ଡ କରାଯାଇଥିଲା। ଜେରାବେଳେ ରବର୍ଟ ଭାଡ୍ରା ଅନେକ ମାମଲାରେ ଖୋଲାଖୋଲି ଉତ୍ତର ଦେଇ ନ ଥିବାରୁ ପୁଣି ଥରେ ଜେରା କରାଯାଇପାରେ । ସେହିପରି ସଂଜୟ ଭଣ୍ଡାରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ସମ୍ପର୍କରେ ରବର୍ଟ ଭାଦ୍ରାଙ୍କଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିବା ଇଡି କହିଛି । ପୂର୍ବରୁ ଜୁନ୍ ମାସରେ ରବର୍ଟ ଭାଡ୍ରାଙ୍କୁ ଦୁଇଥର ପଚରାଉଚରା ପାଇଁ ସମନ କରାଯାଇଥିଲା। କିନ୍ତୁ ସେ ଅସୁସ୍ଥ ଥିବା କହି ସମନକୁ ସ୍ଥଗିତ ରଖିବାକୁ କହିଥିଲେ। ଏହା ବ୍ୟତୀତ ସେ ସ୍ଥାନୀୟ କୋର୍ଟର ଅନୁମତି ନେଇ ବିଦେଶ ଯିବେ ବୋଲି ମଧ୍ୟ କହିଥିଲେ ।