ତମାଖୁ ଆଇନ କଡ଼ାକଡ଼ି କରିବାକୁ ରାଜ୍ୟସଭାରେ ପ୍ରାଇଭେଟ ବିଲ୍ ଆଣିଲେ ସୁଜିତ୍ କୁମାର

/

ନୂଆଦିଲ୍ଲୀ:ଶୁକ୍ରବାର ଦେଶରେ ତମାଖୁ ନିୟନ୍ତ୍ରଣ ଆଇନ୍‍କୁ କଡ଼ାକଡ଼ି କରିବା ପାଇଁ ବିଜେଡି ସାଂସଦ ସୁଜିତ କୁମାର ରାଜ୍ୟସଭାରେ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଆଇନ କୋଟପାରେ ସଂଶୋଧନ ପାଇଁ ବିଲ୍‍ ଆଗତ କରିଛନ୍ତି । ଘରୋଇ ବିଲ୍‍ଟି ଆଲୋଚନା ପାଇଁ ବହୁ ମତରେ ଗ୍ରହଣ କରାଯାଇଛି ।

କୋଟପା ଆଇନରେ ସଂଶୋଧନ ଲାଗି ଦୁଇ ଦିନ ତଳେ ସ୍ୱେଚ୍ଛାସେବୀ ସଂସ୍ଥା ପିପୁଲ୍ସ କଲଚରାଲ ସେଣ୍ଟର (ପିକକ୍‍) ଓ ତମାଖୁ ମୁକ୍ତ ଓଡିଶା ପାଇଁ ମିଳିତ ମଞ୍ଚ ପକ୍ଷରୁ ସାଂସଦ ମାନଙ୍କୁ ନେଇ ଏକ ପରାମର୍ଶ କର୍ମଶାଳା ଆୟୋଜିତ ହୋଇଥିବା ବେଳେ ସୁଜିତ କୁମାର ଆଜି ସଂସଦରେ ଏହି ସଂଶୋଧନ ବିଲ୍‍ ଆଗତ କରିଛନ୍ତି ।

ଦେଶରେ ତମାଖୁ ଜନିତ ରୋଗ ଯୋଗୁଁ ବାର୍ଷିକ ୧.୩ ନିୟୁତରୁ ଅଧିକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ତମାଖୁ ସେବନ ଭାରତୀୟଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇବା ସହ ଆୟୁ କମିବାରେ ଲାଗିଛି ।

ଶିଶୁ ଏବଂ ଯୁବକମାନଙ୍କୁ ତମାଖୁ ଜନିତ ରୋଗ ଏବଂ କର୍କଟ ରୋଗରୁ ରକ୍ଷା କରିବା ପାଇଁ ଆଇନ୍‍ର ସଂଶୋଧନ ପାଇଁ କର୍ମଶାଳାରେ ପରାମର୍ଶ ଦିଆଯାଇଥିଲା ।

ନୂଆଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବ ଅଫ୍‍ ଇଣ୍ଡିଆ ଠାରେ ଆୟୋଜିତ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିବା ସାଂସଦ ମାନେ ତମାଖୁ ନିୟନ୍ତ୍ରଣ ନୀତି ଏବଂ କଠୋର ଆଇନ ସପକ୍ଷରେ ମତ ରଖିଥିଲେ । ରାଜ୍ୟସଭା ସାଂସଦ ମୁନ୍ନା ଖାନ, ସୁଜିତ କୁମାର, ସୁଲତା ଦେଓ, ନିରଂଜନ ବିଶି, ମମତା ମହାନ୍ତ, ଠାକୁର ଯୁଗଲ ଲୋଖଣ୍ଡେୱାଲା, ଲୋକସଭା ସାଂସଦ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରସ୍ତାବିତ କୋଟପା (ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ଅଧିନିୟମ) ସଂଶୋଧନ ବିଲ୍‌, ୨୦୨୦ ରେ ପ୍ରଭାବଶାଳୀ ଦଣ୍ଡ ଏବଂ ଜରିମାନା ଲାଗୁ, ସିଗାରେଟର ଖୁଚୁରା ବିକ୍ରିକୁ ଅନୁମତି ନଦେବା, ୨୧ ବର୍ଷରୁ କମ୍ ବ୍ୟକ୍ତିଙ୍କୁ ତମାଖୁ ଦ୍ରବ୍ୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇବା ଭଳି ବ୍ୟବସ୍ଥା ରହିଛି ।

ତେବେ ସମ୍ପୂର୍ଣ୍ଣ ଧୂଆଁମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ହୋଟେଲ ତଥା ରେଷ୍ଟୁରାଣ୍ଟ ତଥା ବିମାନ ବନ୍ଦର ଲାଉଞ୍ଜରେ ବିଜ୍ଞାପନ ଏବଂ ନିର୍ଦ୍ଧିଷ୍ଟ ଧୂମପାନ ଅଞ୍ଚଳ ଉପରେ ନିଷେଧାଦେଶ ଲାଗୁ କରିବା ଆବଶ୍ୟକ ।

ସୂଚନାଯୋଗ୍ୟ, ତମାଖୁ ଜନିତ ରୋଗ ହେତୁ ଭାରତରେ ବାର୍ଷିକ ୧.୩ ନିୟୁତରୁ ଅଧିକ ଲୋକ ମୃତ୍ୟୁ ମୁଖରେ ପଡ଼ନ୍ତି । ପରୋକ୍ଷ ଧୂଆଁର ପ୍ରଭାବ ଜନିତ ସ୍ୱାସ୍ଥ୍ୟ ସେବା ଖର୍ଚ୍ଚରେ ୫୬୭ ବିଲିୟନ ଟଙ୍କାର ଆର୍ଥିକ ବୋଝ ସୃଷ୍ଟି କରିଥାଏ ।

ଏହା ବ୍ୟତୀତ ତମାଖୁ ବ୍ୟବହାର ଦ୍ୱାରା ବାର୍ଷିକ ୧୭୭୩.୪ ବିଲିୟନ ଭାରତୀୟ ଟଙ୍କା (୨୭.୫ ବିଲିୟନ ଡ଼ଲାର୍‌) ବୋଝ ମଧ୍ୟ ପଡିଥାଏ ।

Related Articles

Back to top button