ଆଖୁରୁ ଚିନି ଉତ୍ପାଦନ ବଦଳରେ ଅଧିକ ଇଥାନଲ୍‍ ଉତ୍ପାଦନ ହେଉଛି: ଗଡ଼କରୀ

ମୁମ୍ବଇ : କେନ୍ଦ୍ର ଜାତୀୟ ରାଜପଥ ଓ ସଡ଼କ ପରିବହନ ମନ୍ତ୍ରୀ ନୀତିନ୍‍ ଗଡ଼କରୀ କହିଛନ୍ତି, କୃଷିର ବିବିଧକରଣ କରାଯାଇ ଶକ୍ତି କ୍ଷେତ୍ର ଉପରେ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମୁମ୍ବଇଠାରେ ଆୟୋଜିତ ଏକ ସମାରୋହରେ ଉଦ୍‍ବୋଧନ ଦେଇ ଶ୍ରୀ ଗଡ଼କରୀ ଏହା କହିଛନ୍ତି। ସେ କହିଛନ୍ତି, ଦେଶରେ ଉତ୍ପାଦିତ ହେଉଥିବା କୃଷି ଦ୍ରବ୍ୟ ମଧ୍ୟରୁ ଆଖୁ ଏକ ଗୁରୁତ୍ୱପୂର୍ଣ୍ଣ କୃଷିଜାତ ଦ୍ରବ୍ୟ। ତେବେ ଆଖୁରୁ ଚିନି ଉତ୍ପାଦନ ନ କରି ଅଧିକ ପରିମାଣରେ ଇଥାନଲ୍‍ ଉତ୍ପାଦନ କରିବା ହେଉଛି ବର୍ତ୍ତମାନ ସମୟର ଆହ୍ୱାନ। ତେଣୁ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍‍ ମିଶ୍ରଣ କରିବା ଲାଗି ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଇଥାନଲ୍‍ର ଚାହିଦା ଉପରେ ଆଲୋକପାତ କରି ଶ୍ରୀ ଗଡ଼କରୀ କହିଛନ୍ତି, ଗତବର୍ଷ ଦେଶରେ ୪ ଶହ କୋଟି ଲିଟର ଇଥାନଲ୍‍ ଉତ୍ପାଦନ କରା ଯାଇଥିଲା।

ତେବେ ପେଟ୍ରୋଲରେ ୨୦ ପ୍ରତିଶତ ଇଥାନଲ୍‍ ମିଶ୍ରଣ କରାଗଲେ ଏହାର ଚାହିଦା ପରିମାଣ ଏକ ହଜାର କୋଟି ଲିଟରରେ ପହଞ୍ଚିବ ବୋଲି ଶ୍ରୀ ଗଡ଼କରୀ
କହିଛନ୍ତି । ତେବେ ଇଥାନଲ୍‍ ଉତ୍ପାଦନ ଲାଗି ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି। ଅନ୍ୟପକ୍ଷରେ ଭବିଷ୍ୟତ ଲାଗି ସବୁଜ ହାଇଡ୍ରୋଜେନ୍‍ ଏକ ଗୁରୁତ୍ୱପୂର୍ଣ୍ଣ ଇନ୍ଧନ ବୋଲି ଶ୍ରୀ ଗଡ଼କରୀ ମତବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଏଥିଲାଗି ସରକାର କାର୍ଯ୍ୟ ଆରମ୍ଭ କରିସାରିଛନ୍ତି । ସେହିଭଳି ଦେଶରେ ଫ୍ଲେକ୍ସ ଇଞ୍ଜିନ୍‍ ପ୍ରଚଳନ କରିବା ଲାଗି ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ କେତେକ ଘରୋଇ କମ୍ପାନୀ ଦୁଇଚକିଆ ଯାନରେ ଫ୍ଲେକ୍ସ ଇଞ୍ଜିନ୍‍ ବ୍ୟବହାର କରିସାରିଲେଣି। ଏହାଛଡ଼ା କାର୍‍ ନିର୍ମାତା କମ୍ପାନୀଗୁଡ଼ିକ ମଧ୍ୟ ଖୁବ୍‍ ଶୀଘ୍ର ଫ୍ଲେକ୍ସ ଇଞ୍ଜିନ୍‍ ବ୍ୟବହାର କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଏକ ଘରୋଇ କମ୍ପାନୀ ପକ୍ଷରୁ ନିର୍ମାଣ କରାଯାଇଥିବା ଶତ ପ୍ରତିଶତ ବାୟୋ ଇଥାନଲରେ ଚାଳିତ ଏକ ଜେନେରେଟର୍‍ ସମ୍ପର୍କରେ ସେ ଉଦାହରଣ ଦେଇଛନ୍ତି ।

Related Articles

Back to top button