ପୃଥିବୀର ୧୦ ଭିଡ ସହର ତାଲିକାରେ ଭାରତର ଦୁଇ ସହର ବେଙ୍ଗାଲୁରୁ ଏବଂ ପୁଣେ

ନୂଆଦିଲ୍ଲୀ: ବଡ ସହରରେ ଟ୍ରାଫିକ ବୃଦ୍ଧି ସମସ୍ତଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଦୁନିଆର ପ୍ରତ୍ୟେକ ବଡ ସହରରେ ଯାନ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଅଳ୍ପ ଦୂରତାକୁ ମଧ୍ୟ ଅତିକ୍ରମ କରିବାକୁ ବହୁତ ସମୟ ଲାଗୁଛି। ଏକ ଡେନମାର୍କ ସଂଗଠନ ଦ୍ୱାରା ୧୦ ଭିଡ ସହର ତାଲିକାର ଏକ ରିପୋର୍ଟ ଜାରି କରାଯାଇଛି। ଯେଉଁଥିରେ ଭାରତର ସହରର ମଧ୍ୟ ନାମ ରହିଛି।

ଡେନମାର୍କର ଏକ ସଂଗଠନ ଟମ-ଟମ ଦ୍ୱାରା ଏକ ରିପୋର୍ଟ ଜାରି କରାଯାଇଛି। ଯାହାକୁ ଟ୍ରାଫିକ ଇଣ୍ଡେକ୍ସ ୨୦୨୨ ଭାବରେ ନାମିତ କରାଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ସଂସ୍ଥା ବିଶ୍ୱର ପ୍ରାୟ ୬ ଟି ମହାଦେଶର ୫୬ ଟି ଦେଶର ୩୮୯ଟି ସହରକୁ ଅନ୍ତର୍ଭୁକ୍ତ କରି ଟ୍ରାଫିକ ତଥ୍ୟ ସଂଗ୍ରହ କରିଛି।

ଭାରତର ସର୍ବାଧିକ ଟ୍ରାଫିକ ଥିବା ସହରଗୁଡିକରେ ଦୁଇଟି ସହରର ନାମ ଏହି ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି। ଭାରତର ବେଙ୍ଗାଲୁରୁ ତାଲିକାର ଶ୍ରେଷ୍ଠ ୧୦ ଭିଡ ସହର ଭାବେ ଦ୍ୱିତୀୟ ସ୍ଥାନରେ ଥିବାବେଳେ ମହାରାଷ୍ଟ୍ରର ପୁଣେ ସହର ଷଷ୍ଠ ସ୍ଥାନରେ ରହିଛି। ହାରାହାରି, ଜଣେ ବ୍ୟକ୍ତି ବାଙ୍ଗାଲୋରରେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ୨୯ମିନିଟ ୧୦ ସେକେଣ୍ଡ ସମୟ ନେଇଥାନ୍ତି। ବେଙ୍ଗାଲୁରୁରେ ଯାନବାହାନର ହାରାହାରି ବେଗ ଘଣ୍ଟା ପ୍ରତି ୧୮ କିଲୋମିଟର। ମହାରାଷ୍ଟ୍ରର ପୁଣେରେ ୧୦ କିଲୋମିଟର ଅତିକ୍ରମ କରିବାକୁ ହାରାହାରି ୨୭ ମିନିଟ ୨୦ସେକେଣ୍ଡ ଲାଗିଥାଏ। ଏଠାରେ ହାରାହାରି ବେଗ ଘଣ୍ଟା ପ୍ରତି ୧୮ କିଲୋମିଟର ରହିଛି।

ବ୍ରିଟେନର ଲଣ୍ଡନ ଦୁନିଆର ସର୍ବାଧିକ ଟ୍ରାଫିକ ବହୁଳ ସହ ଶ୍ରେଷ୍ଠ ୧୦ଟି ସହରର ପ୍ରଥମ ସ୍ଥାନରେ ରହିଛି ।ଏଠାରେ ଟ୍ରାଫିକ ଏତେ ଗହଳି ଯେ ଲଣ୍ଡନରେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ହାରାହାରି ୩୬ ମିନିଟ ୨୦ ସେକେଣ୍ଡ ସମୟ ଲାଗିଥାଏ। ଲଣ୍ଡନରେ ହାରାହାରି ବେଗ ଘଣ୍ଟା ପ୍ରତି ୧୪ କିଲୋମିଟର ରହିଛି। ତାଲିକାର ତୃତୀୟ ସ୍ଥାନରେ ଆୟର୍ଲାଣ୍ଡର ଡବଲିନ ସହର ଅଛି। ଯେଉଁଠାରେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ୨୮ ମିନିଟ ୩୦ ସେକେଣ୍ଡ ସମୟ ଲାଗିଥାଏ। ଏହା ପରେ ଜାପାନର ସାପୋରୋ, ଇଟାଲୀରେ ମିଲନ, ଭାରତର ପୁଣେ, ରୋମାନିଆର ବୁକାରେଷ୍ଟ, ପେରୁର ଲିମା, ଫିଲିପାଇନ୍ସର ମାନିଲା ଏବଂ କଲମ୍ବିଆର ବୋଗୋଟା ସହର ରହିଛି।

ନୂଆଦିଲ୍ଲୀ ଏହି ତାଲିକାରେ ୩୪ ନମ୍ବର ସ୍ଥାନରେ ରହିଛି। ଦିଲ୍ଲୀରେ ୧୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ହାରାହାରି ୨୨ ମିନିଟ ୧୦ ସେକେଣ୍ଡ ସମୟ ଲାଗେ ଏବଂ ଏଠାରେ ହାରାହାରି ଗତି ଘଣ୍ଟା ପ୍ରତି ୨୪ କିଲୋମିଟର ରହିଛି। ଦିଲ୍ଲୀ ପରେ ମୁମ୍ବାଇ ସହର ୪୭ ତମ ସ୍ଥାନରେ ରହିଛି।

Related Articles

Back to top button