ମୁମ୍ବାଇ ବିମାନ ବନ୍ଦରରେ ୨ ନାଇଜେରୀୟଙ୍କ ଶରୀରରୁ ୧୬୭ କୋକେନ କ୍ୟାପସୁଲ ଜବତ
ମୁମ୍ବାଇ: ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଡିଆରଆଇ ଅଧିକାରୀମାନେ ୩୦ କୋଟି ଟଙ୍କାର କୋକେନ ୨ ନାଇଜେରୀୟ ବ୍ୟକ୍ତିଙ୍କଠାରୁ ଜବତ କରିଛନ୍ତି। ସେମାନେ ଶରୀରରେ ଲୁଚାଇ ରଖିଥିବା ୧୬୭ କ୍ୟାପସୁଲ ଜରିଆରେ ଏହି ଡ୍ରଗ୍ସ ଆଣୁଥିଲେ। ସେମାନେ ଲାଗୋସରୁ ଆଡିସ ଆବାବା ଦେଇ ମୁମ୍ବାଇ ଆସୁଥିଲେ। ଗତ ୩ ତାରିଖ ଡିଆରଆଇ ଅଧିକାରୀମାନେ ଏମାନଙ୍କୁ ସନ୍ଦେହରେ ଧରିଥିଲେ। ସେମାନଙ୍କୁ ଏସିଏମଏମଙ୍କ ନିକଟରେ ହାଜର କରାଯିବା ପରେ ମେଡିକାଲ ଟେଷ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ମଙ୍ଗଳବାର ସେମାନଙ୍କ ଶରୀରରୁ ୧୬୭ କ୍ୟାପସୁଲ ବାହାରିଥିଲା। ତାହା ପରୀକ୍ଷଣ ପରେ ସେଥିରେ କୋକେନ ଥିବା ଜଣାପଡିଥିଲା। ସେହି କ୍ୟାପସୁଲଗୁଡିକରୁ ୨.୯୬୭ କେଜି କୋକେନ ଜବତ ହୋଇଥିଲା, ଯାହାର ଆନ୍ତର୍ଜାତିକ ବଜାର ମୂଲ୍ୟ ୨୯.୭୬ କୋଟି ଟଙ୍କା ହେବ ବୋଲି ଅଧିକାରୀମାନେ କହିଛନ୍ତି। ଉଭୟଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତଦନ୍ତ ଜାରି ରହିଛି।