
ସମଗ୍ର ଦେଶରେ ସବୁଦିନ ପାଇଁ ବନ୍ଦ ହେଲା ଦୁଇ ବର୍ଷର ସ୍ୱତନ୍ତ୍ର ବି.ଏଡ କୋର୍ସ
ସମଗ୍ର ଦେଶରେ ଚାଲିଥିବା ଦୁଇ ବର୍ଷର ସ୍ୱତନ୍ତ୍ର ବି.ଏଡ କୋର୍ସକୁ ସବୁଦିନ ପାଇଁ ବନ୍ଦ କରିଦିଆଯାଇଛି । ପରବର୍ତ୍ତୀ ଏକାଡେମିକ୍ ଅଧିବେଶନ ୨୦୨୪-୨୦୨୫ ରୁ କେବଳ ଚାରି ବର୍ଷର ସ୍ପେଶାଲ ବି.ଏଡ କୋର୍ସ ମାନ୍ୟତା ପାଇବ । ଭାରତୀୟ ପୁନର୍ବାସ ପରିଷଦ (ଆରସିଆଇ) ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି ।
ତେବେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚାଲିଥିବା ସ୍ୱତନ୍ତ୍ର ବି.ଏଡ ପାଠ୍ୟକ୍ରମକୁ କେବଳ ଆରସିଆଇ ସ୍ୱୀକୃତି ଦେଇଥାଏ । ଆରସିଆଇ ଏହାର ସର୍କୁଲାରରେ ଭଲ ଭାବରେ ଏହା ସ୍ପଷ୍ଟ କରିଛି । ସମଗ୍ର ଦେଶରେ ପ୍ରାୟ ୧୦୦୦ ଏପରି ଅନୁଷ୍ଠାନ / ବିଶ୍ୱବିଦ୍ୟାଳୟ ଅଛି, ଯେଉଁଠାରେ ଏହି କୋର୍ସ ଦିଆଯାଉଛି ।ଭାରତର ପୁନର୍ବାସ ପରିଷଦ ସଚିବ ବିକାଶ ତ୍ରିବେଦୀଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସର୍କୁଲାରରେ କୁହାଯାଇଛି ଯେ, ନୂଆ ଶିକ୍ଷା ନୀତି (ଏନଇପି) ୨୦୨୦ ଅନ୍ତର୍ଗତ ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ କାର୍ଯ୍ୟକ୍ରମ (ଆଇଟିଇପି) ରେ ୪ ବର୍ଷିଆ ବି.ଏଡ କୋର୍ସ ପାଇଁ ଏକ ବ୍ୟବସ୍ଥା କରିଛି । ଏହାକୁ ଦୃଷ୍ଟିରେ ରଖି ଆରସିଆଇ କେବଳ ଚାରି ବର୍ଷର ବି.ଏଡ କୋର୍ସ ଚଳାଇବାକୁ ନିଷ୍ପତ୍ତି ନେଇଛି । ଆଗାମୀ ଅଧିବେଶନରୁ, କେବଳ ଚାରି ବର୍ଷର ବି.ଏଡ (ସ୍ୱତନ୍ତ୍ର ଶିକ୍ଷା) ପାଠ୍ୟକ୍ରମ ଆରସିଆଇ ଦ୍ୱାରା ମାନ୍ୟତା ମିଳିବ ।
ସ୍ପେଶଶଲ ବି.ଏଡ କୋର୍ସରେ ଶିକ୍ଷକମାନଙ୍କୁ ଅକ୍ଷମ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ତାଲିମ ଦିଆଯାଏ । ଭିନ୍ନକ୍ଷମ ପିଲାମାନଙ୍କର ବିଶେଷ ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ପାଠ୍ୟକ୍ରମରେ ତାଲିମ ଦିଆଯାଏ । ଏଥିରେ ଶ୍ରବଣ, ବକ୍ତବ୍ୟ, ଦୃଷ୍ଟି ଶକ୍ତି, ମାନସିକ ଅକ୍ଷମତା ଇତ୍ୟାଦି ଭିନ୍ନକ୍ଷମଙ୍କ ପାଇଁ ସିଲାବସ୍ କରାଯାଏ । ଆରସିଆଇ କହିଛି ଯେ ଯେକୌଣସି ଅନୁଷ୍ଠାନ ଯେଉଁମାନେ ଚାରି ବର୍ଷର ଇଣ୍ଟିଗ୍ରେଟେଡ ବି.ଏଡ ସ୍ପେଶାଲ ଏଜୁକେସନ୍ କୋର୍ସ କରିବାକୁ ଚାହୁଁଛନ୍ତି, ସେମାନେ ପରବର୍ତ୍ତୀ ଏକାଡେମିକ୍ ଅଧିବେଶନ ପାଇଁ ଆବେଦନ କରିପାରିବେ ।