
୨୨ ଜଣ ନକ୍ସଲ ପୋଲିସ ନିକଟରେ କରିଲେ ଆତ୍ମସମର୍ପଣ
ଶୁକ୍ରବାର ସକାଳେ ୨୨ ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ଛତିଶଗଡ଼ ସରକାରଙ୍କ ପୁନର୍ବାସ ତଥା ଥଇଥାନ ନୀତି ଯୋଜନା ଦ୍ୱାରା ପ୍ରଭାବିତ ହୋଇ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ କାହା ନାମରେ୮ ଲକ୍ଷ ଟଙ୍କା ତ ପୁଣି କାହା ନାମରେ ୫ ଲକ୍ଷ, ୨ ଲକ୍ଷ ଏବଂ ୫୦ ହଜାର ଟଙ୍କା ପରି ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସମୁଦାୟ ପୁରସ୍କାର ରାଶିକୁ ମିଶେଇଲେ ପ୍ରାୟ ୪୦ ଲକ୍ଷ ୫୦ ହଜାର ଟଙ୍କା ।
ନକ୍ସଲ ସଂଗଠନ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଲକ୍ଷ୍ୟରେ ନକ୍ସଲ ସଂଗଠନରେ ସକ୍ରିୟ ୯ ଜଣ ମହିଳା ସମେତ ୨୨ ଜଣ ନକ୍ସଲ ଆଜି ପୋଲିସ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ଅସ୍ତ୍ରଶସ୍ତ୍ର ବିନା ଆତ୍ମସମର୍ପଣ କରିଛନ୍ତି। ନକ୍ସଲ ଆତ୍ମସମର୍ପଣ ପୁନର୍ବାସ ନୀତି-୨୦୨୫ ଅଧୀନରେ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ସହ ପୋଷାକ ପ୍ରଦାନ କରାଯାଇଥିଲା । ଏଥିସହ ଅନ୍ୟାନ୍ୟ ସୁବିଧାସୁଯୋଗ ମଧ୍ୟ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ।ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ରହିଛନ୍ତି ୩୩ ବର୍ଷୀୟ ମୁଚାକି ଜୋଗା, ଯିଏକି ସୁକମା ଜିଲ୍ଲାର ରେଗଡଗାଟାର ବାସିନ୍ଦା । ସେ ପ୍ୟାଡ୍ ମ୍ୟାଡ୍ ଡିଭିଜନ ଅଧୀନରେ PLGA ପ୍ଲାଟୁନ୍ ନମ୍ବର ୧ ର ଡେପୁଟି କମାଣ୍ଡର/CYPCM ଥିଲେ । ତାଙ୍କ ନାମରେ ୮ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା ।