ମୁମ୍ବାଇ ଆକ୍ରମଣ ଆତଙ୍କବାଦୀକୁ ଭାରତର ଜିମା ଦେବ ଆମେରିକା।

କୂଟନୀତିକ ସ୍ତରରେ ଭାରତର ବଡ଼ ବିଜୟ। ମୁମ୍ବାଇ ଆକ୍ରମଣ ଆତଙ୍କବାଦୀକୁ ଭାରତର ଜିମା ଦେବ ଆମେରିକା। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାରେ ଅନ୍ୟତମ ଅଭିଯୁକ୍ତ ତହଉର ନାଣାକୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଆମେରିକା ରାଜି ହୋଇଛି। ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ରାଣାକୁ ଭାରତ ପଠାଇବାକୁ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ଭାରତ ତାଙ୍କୁ ଜଲଦି ଫେରାଇ ଆଣିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରୁଛି । ରାଣା ୨୬/୧୧ ମାଷ୍ଟରମାଇଣ୍ଡ ଡେଭିଡ୍ କୋଲମାନ ହେଡଲିଙ୍କୁ ସାହାଯ୍ୟ କରିଥିଲେ ବୋଲି ଅଭିଯୋଗ ରହିଛି । ହେଡଲି ମୁମ୍ବାଇରେ ସ୍ଥାନଗୁଡ଼ିକର ରେକି କରିଥିଲେ ଅର୍ଥାତ୍ ସ୍ଥାନଗୁଡ଼ିକୁ ବୁଲି ଦେଖିଥିଲେ ।ଏହାପୂର୍ବରୁ ଭାରତ ଆମେରିକୀୟ କୋର୍ଟରେ ଦୃଢ଼ ପ୍ରମାଣ ଉପସ୍ଥାପନ କରିଥିଲା । ଏଥିରେ ରାଣାଙ୍କ ସମ୍ପୃକ୍ତି ସ୍ପଷ୍ଟ ରୂପରେ ଦେଖାଯାଇଥିଲା । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭାରତରେ ରାଣାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଆମେରିକୀୟ ମାମଲାଗୁଡ଼ିକଠାରୁ ଭିନ୍ନ । ଦୁଇ ଦେଶ ମଧ୍ୟରେ ଯେଉଁ ଚୁକ୍ତିନାମା ହୋଇଛି, ତାହା ଅନୁସାରେ ତାଙ୍କୁ ଭାରତ ପଠାଯାଇପାରିବ ।

ଏଫବିଆଇ ରାଣାଙ୍କୁ ୨୦୦୯ରେ ଚିକାଗୋରୁ ଗିରଫ କରିଥିଲା । ସେ ପାକିସ୍ତାନର ଆଇଏସଆଇ ଏବଂ ଲସ୍କର-ଏ-ତାଏବାର ଜଣେ ଅପରେଟିଭ୍ ବୋଲି କୁହାଯାଉଛି । ଏବେ ତାଙ୍କୁ ଭାରତ ଆଣିବା ପାଇଁ ପ୍ରସ୍ତୁତି ଜୋରସୋରେ ଚାଲିଛି । ଆତଙ୍କବାଦୀ ସଙ୍ଗଠନକୁ ସାହାଯ୍ୟ କରିବା ଏବଂ ଡେନମାର୍କରେ ଆତଙ୍କୀ ଆକ୍ରମଣର ବିଫଳ ଷଡ଼ଯନ୍ତ୍ର ରଚିବା ପାଇଁ କୋର୍ଟ ରାଣାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ।ତେବେ ଭାରତରେ ହୋଇଥିବା ଆକ୍ରମଣ ଅଭିଯୋଗକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ କୋର୍ଟ କହିଥିଲେ ଯେ ସେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରରେ ସମ୍ପୃକ୍ତ ଥିଲେ ଏବଂ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରାଯିବା ଉଚିତ୍ । କହି ରଖୁଛୁ, ତହୱୁର ରାଣା ପାକିସ୍ତାନରେ ଜନ୍ମଗ୍ରହଣ କରିଥିଲେ । ସେ ଆର୍ମି ମେଡିକାଲ କଲେଜରେ ଅଧ୍ୟୟନ କରିଥିଲେ ।

Related Articles

Back to top button