ପିଲଭିତ୍‌ରେ ଏନକାଉଣ୍ଟରରେ ୩ ଖାଲିସ୍ତାନୀ ଆତଙ୍କବାଦୀ ନିପାତ : ବିପୁଳ ମାରଣାସ୍ତ୍ର ଜବତ

ଉତ୍ତରପ୍ରଦେଶ ପିଲଭିତ୍‌ରେ ବଡ଼ ଧରଣର ଏନକାଉଣ୍ଟର ହୋଇଛି। ପୁଲିସ ଏନକାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ପୁଲିସ୍‌ ପୋଷ୍ଟ ଉପରେ ଆକ୍ରମଣ କରିଥିବା ୩ ଖାଲିସ୍ତାନୀ ଅଭିଯୁକ୍ତଙ୍କୁ ଧରିବା ପାଇଁ ୟୁପି ଓ ପଞ୍ଜାବ ପୁଲିସର ମିଳିତ ଅପରେସନ ବେଳେ ଏହି ଏନକାଉଣ୍ଟର ହୋଇଛି। ପୁଲିସ ଏନକାଉଣ୍ଟରରେ ୩ ଖାଲିସ୍ତାନୀ ଆତଙ୍କବାଦୀ ନିପାତ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୨ଟି ଏକେ-୪୭ ଓ ୨ଟି ପିସ୍ତଲ ସହ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି। ଏନ୍‌କାଉଣ୍ଟରେ ନିହତ ହୋଇଥିବା ତିନି ଆତଙ୍କବାଦୀ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସପ୍ରିତ ସିଂହ। ସେମାନେ ସମସ୍ତେ ଖଲିସ୍ତାନ କମାଣ୍ଡୋ ଫୋର୍ସ ନାମକ ସଂଗଠନର ସଦସ୍ୟ ଥିଲେ।ପୁଲିସ ସୂଚନା ମୁତାବକ, ଆଜି ସକାଳୁ ପଞ୍ଜାବର ଗୁରୁଦାସପୁର ପୁଲିସ ଷ୍ଟେସନ ଉପରେ ଗ୍ରେନେଡ୍‌ ହମ୍‌ଲା କରିଥିବା ତିନି ଖଲିସ୍ତାନୀ ଆତଙ୍କବାଦୀଙ୍କ ସ୍ଥିତି ସମ୍ପର୍କରେ ଗୁରୁଦାସପୁର ପୁଲିସ ୟୁପିର ପୁରାଣପୁର ପୁଲିସ ଷ୍ଟେସନକୁ ଆସି ସୂଚନା ଦେଇଥିଲା। ଏହାପରେ ପୂରା ଅଞ୍ଚଳକୁ ଅବରୋଧ କରି ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ପୁରାଣପୁରରେ ତିନି ଜଣଙ୍କ ଉପସ୍ଥିତି ସହ ସନ୍ଦେହଜନକ ସାମଗ୍ରୀ ଥିବା ସମ୍ପର୍କରେ ପୁଲିସ ଏକ ସୂଚନା ମଧ୍ୟ ପାଇଥିଲା।

ଏହାପରେ ତୁରନ୍ତ ପଞ୍ଜାବ ପୁଲିସ ଟିମ୍‌ ସେମାନଙ୍କ ପିଛା କରିଥିଲା। ପୁଲିସକୁ ଦେଖି ତିନି ଖଲିସ୍ତାନୀ ଆତଙ୍କୀ ଗୁଳିମାଡ଼ କରିଥିଲେ। ପୁଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲା। ଏଥିରେ ତିନି ଜଣ ଆତଙ୍କୀ ଗୁରୁତର ହୋଇଥିଲେ। ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସମସ୍ତଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି।

Related Articles

Back to top button