ମୁମ୍ବାଇରେ ତିନିମହଲା କୋଠା ଭୁଶୁଡ଼ିଲା
ମୁମ୍ବଇ: ଭୁଶୁଡି ପଡିଲା ତିନିମହଲା କୋଠା । ଶନିବାର ମଧ୍ୟାହ୍ନ ପ୍ରାୟ ୧.୪୫ ମିନିଟରେ ଏହି କୋଠା ଭୁଶୁଡି ପଡିଛି । ଏହି କୋଠାରେ ୨ୟ ମହଲାରେ ୩ରୁ ୪ଟି ପରିବାର ରହୁଥିଲେ । ସେହିପରି କୋଠାର ତଳ ମହଲାରେ ଶ୍ରମିକମାନେ କାମ କରୁଥିଲେ । ଏହି ଘଟଣା ଘଟିଛି ମୁମ୍ବାଇର ଭିବଣ୍ଡି ନିକଟ କୈଳାସନଗର ଅଞ୍ଚଳରେ ।
ବର୍ଦ୍ଧମାନ କମ୍ପାଉଣ୍ଡରେ ଥିବା ଏହି କୋଠାଟି ହଠାତ ଆଜି ଭୁଶୁଡି ପଡିଥିଲା । ପୋଲିସ ସୂଚନା ଅନୁସାରେ କୋଠାର ତଳ ମହଲାରେ ଏକ ଫ୍ୟାକ୍ଟ୍ରି ଥିଲା । ପ୍ରଥମ ଏବଂ ୨ୟ ମହଲାରେ ଲୋକେ ରହୁଥିଲେ । ଦୁର୍ଘଟଣା ସମୟରେ ଏହି ପରିବାରର କିଛି କିଛି ସଦସ୍ୟ କାମରେ ବାହାରକୁ ଯାଇଥିଲେ । ମଧ୍ୟାହ୍ନ ୧.୪୫ ମିନିଟରେ ଏହି କୋଠାଟି ହଠାତ ଭୁଶୁଡି ପଡିଥିଲା ।
କେତେଲୋକ ଏହି ଧ୍ୱଂସସ୍ତୁପ ତଳେ ଚାପି ହୋଇ ଯାଇଥିଲେ ତାହା ଜଣା ପଡିନାହିଁ । କିନ୍ତୁ ତଳ ମହଲାରେ କାମ କରୁଥିବା ଶ୍ରମିକମାନେ ଏହାଭିତରେ ଫଶି ରହିଥିବା ଆଶଙ୍କା କରାଯାଉଛି । ଇତିମଧ୍ୟରେ ୭ରୁ ୮ ଜଣ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ତେବେ ଆହୁରି ଅନେକ ଫସି ରହିଥିବା ଆଶଙ୍କା କରାଯାଉଛି ।
ପୋଲିସର କହିବା ଅନୁଯାୟୀ, ଜଣେ ମହିଳା ଓ କେତେଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ତଥାପି ଆହୁରି ୧୫ ଜଣ ଫସି ରହିଥିବା କୁହାଯାଉଛି । ଘଟଣାସ୍ଥଳରେ ଦମକଳ ଏବଂ ଏନଡିଆରଏଫ ଟିମ ପହଞ୍ଚିଛି । ପୋଲିସ ମଧ୍ୟ ଉପସ୍ଥିତ ଅଛି । ଧ୍ୱଂସସ୍ତୁପ ଭିତରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଚାଲିଛି ।