ଏମ୍ସ ପ୍ରାଇଭେଟ୍ ଓ୍ଵାର୍ଡରେ ଲାଗିଲା ୫% ଜିଏସଟି, ଚିକିତ୍ସା ହେବ ମହଙ୍ଗା

ନୂଆଦିଲ୍ଲୀ: ନିକଟରେ ଡାଲି, ଚାଉଳ, ଚୁଡା, ମୁଢି ଏବଂ ଦହି ପରି ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ଜିଏସଟି ଲାଗୁ କରାଯାଇଛି। ଏବେ ସରକାରଙ୍କ ନଜର ସ୍ଵାସ୍ଥ୍ୟ କ୍ଷେତ୍ରରୁ ଜିଏସଟି ଆଦାୟ କରିବା ଉପରେ ପଡିଛି। ଫଳରେ ଏମ୍ସ ପ୍ରାଇଭେଟ୍ ଓ୍ଵାର୍ଡରେ ଚିକିତ୍ସା କରାଇବା ଆହୁରି ମହଙ୍ଗା ହୋଇ ଯାଇଛି। ଏମ୍ସର ପ୍ରାଇଭେଟ୍ ଓ୍ଵାର୍ଡରେ ପାଞ୍ଚ ପ୍ରତିଶତ ଜିଏସଟି ଲାଗୁ କରିବାର ଆଦେଶ ଜାରି କରାଯାଇଛି। ଏବେ ପ୍ରତିଦିନ ରୋଗୀଙ୍କୁ ୩୦୦ ଟଙ୍କାର ଅତିରିକ୍ତ ଶୁଳ୍କ ଦେବାକୁ ପଡିବ। ଏହା ପୂର୍ବରୁ ମେ ମାସରେ ପ୍ରାଇଭେଟ୍ ଓ୍ଵାର୍ଡର ଭଡା ପ୍ରାୟ ଦେଢ ଗୁଣ ବୃଦ୍ଧି ଘଟିଥିଲା।

ଦୁଇ ମାସରେ ପରେ ପୁଣି ଥରେ ପ୍ରାଇଭେଟ୍ ରୁମରେ ଚିକିତ୍ସା କରାଇବା ମହଙ୍ଗା ହୋଇ ଯାଇଛି। ବର୍ତ୍ତମାନ ପ୍ରତିଦିନ ୬୩୦୦ ଟଙ୍କା ଦେବାକୁ ପଡିବ। ଏହାକୁ ନେଇ ବୁଧବାର ଏମ୍ସ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଦେଶ ଜାରି କରାଯାଇଛି। ଏବେ ୬୦୦୦ ଟଙ୍କିଆ ବେଡ ଉପରେ ୫ ପ୍ରତିଶତ ଜିଏସଟି ପରେ ଏହାର ଭଡା ୬୩୦୦ ଟଙ୍କାରେ ପହଞ୍ଚିଛି।

ଏହା ପୂର୍ବରୁ ଜୁନ ୧ରୁ ବର୍ଦ୍ଧିତ ଶୁଳ୍କରେ ରୋଗୀ ସେବା ଚାଲିଛି। ସୂଚନାଯୋଗ୍ୟ, ଏମ୍ସର ପ୍ରାଇଭେଟ ଓ୍ଵାର୍ଡରେ ୨୮୮ ବେଡର ସୁବିଧା ରହିଛି। ଏମ୍ସ କର୍ତ୍ତୃପକ୍ଷ ମେ ମାସରେ ପ୍ରାଇଭେଟ୍ ଓ୍ଵାର୍ଡରେ ବି ଶ୍ରେଣୀର ରୁମ ଭଡା ଦିନକୁ ଦୁଇ ହଜାରରୁ ବୃଦ୍ଧି କରି ତିନି ହଜାର ଟଙ୍କା କରିଥିଲେ. ଆଉ ଡିଲକ୍ସ ଶ୍ରେଣୀ ରୁମର ଦୈନିକ ଭଡା ତିନି ହଜାରରୁ ବୃଦ୍ଧି କରି ଛଅ ହଜାର କରିଥିଲେ। ପୁଣି ଏବେ ତା ଉପରେ ୫ ପ୍ରତିସତ ଜିଏସଟି ଲଗା ଯାଇଛି। ଡିଲକ୍ସ ଶ୍ରେଣୀ ରୁମର ୬୦୦୦ ଟଙ୍କିଆ ବେଡ ଉପରେ ୫ ପ୍ରତିଶତ ଜିଏସଟି ପରେ ଏହାର ଭଡା ୬୩୦୦ ଟଙ୍କାରେ ପହଞ୍ଚିଛି।

Related Articles

Back to top button