ଗାନ୍ଦରବଲରେ ଆତଙ୍କୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ
ଜମ୍ମୁ-କାଶ୍ମୀରର ଗାନ୍ଦରବଲରେ ଆତଙ୍କୀ ହମଲା । ୭ ଜଣଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ । ମୃତକଙ୍କ ମଧ୍ୟରେ ଜଣେ ସ୍ଥାନୀୟ ଡାକ୍ତରଙ୍କ ସମେତ ଟନେଲରେ କାମ କରୁଥିବା ୬ ପ୍ରବାସୀ ଶ୍ରମିକ ଅଛନ୍ତି । ଆତଙ୍କୀ ହମଲାରେ ୫ ଜଣ ଗୁରୁତର ଅଛନ୍ତି । ସେମାନଙ୍କୁ ଶ୍ରୀନଗରର ଏକ ହସ୍ପିଟଲରେ ଚିକିତ୍ସା କରାଯାଉଛି । ଶ୍ରମିକଙ୍କୁ ଟାର୍ଗେଟ୍ କରି ଆତଙ୍କବାଦୀଙ୍କ ଏଭଳି ବର୍ବର କାଣ୍ଡ ଆତଙ୍କ ସୃଷ୍ଟି କରିଛି । ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଚଳାଇଛି ସେନା ।ସୂଚନା ଅନୁସାରେ, ଗାନ୍ଦରବଲ ସ୍ଥିତ ସୋନାମାର୍ଗ ଅଞ୍ଚଳରେ ଏକ ଟନେଲ କାର୍ଯ୍ୟ ଚାଲିଥିଲା । ଏହି ଟନେଲ ଖୋଳା କାମରେ ବାହାର ରାଜ୍ୟର ଶତାଧିକ ଶ୍ରମିକ ନିୟୋଜିତ ଥିବାବେଳେ ସେମାନଙ୍କ କ୍ୟାମ୍ପ ଉପରକୁ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଥିଲେ । ତେବେ ଏହି ଆକ୍ରମଣରେ ଜଣେ ସ୍ଥାନୀୟ ଡାକ୍ତରଙ୍କ ସହ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଛି ।
ତେବେ ଏହି ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ଜାମ୍ମୁ-କାଶ୍ମୀରର ଗଗନଗୀରରେ ସାଧାରଣ ନାଗରିକଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ନୃଶଂସ ତଥା ଘୃଣ୍ୟ କାର୍ଯ୍ୟ। ଏହି ଜଘନ୍ୟ କାର୍ଯ୍ୟରେ ଜଡିତ ଥିବା ବ୍ୟକ୍ତିଙ୍କୁ ବରଦାସ୍ତ କରାଯିବ ନାହିଁ । ମୁଁ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି । ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି।