ଶାହପୁରରେ କାନ୍ଥ ଭୁଶୁଡ଼ି ୮ ଜଣ ଶିଶୁ ମୃତ
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ରବିବାର ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଜିଲ୍ଲାର ଶାହପୁରରେ କାନ୍ଥ ଭୁଶୁଡ଼ି ୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ଆହୁରି କିଛି ଲୋକ ଆହତ ଥିବା କୁହାଯାଉଛି। ଛୋଟ ପିଲାଙ୍କ ମୃତ୍ୟୁ ପରେ ସମଗ୍ର ଅଞ୍ଚଳ ଶୋକାକୁଳ ପରିସ୍ଥିତି ଦେଖାଯାଇଛି।ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶାହପୁରର ହରଦୋଲ ମନ୍ଦିରରେ ଶିବଲିଙ୍ଗ ନିର୍ମାଣ ଓ ଭାଗବତ କଥା ଆୟୋଜନ କରାଯାଉଛି। ଶ୍ରାବଣ ମାସରେ ସକାଳୁ ମନ୍ଦିରରେ ଶିବଲିଙ୍ଗ ତିଆରି କାମ ଚାଲିଥିଲା। ଶିବଲିଙ୍ଗ ତିଆରି କରିବା ପାଇଁ ୮ରୁ ୧୪ ବର୍ଷ ବୟସର ପିଲାମାନେ ମଧ୍ୟ ଆସିଥିଲେ। ପିଲାମାନେ ଶିବଲିଙ୍ଗ ତିଆରି କରୁଥିବା ବେଳେ ମନ୍ଦିର ପରିସର ପାଖରେ ଥିବା କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥଟି ପାଖାପାଖି ୫୦ ବର୍ଷ ପୁରୁଣା ଥିଲା ବୋଲି ଗାଁର ଲୋକେ କହୁଛନ୍ତି।
ଭୁଶୁଡ଼ିଥିବା କାନ୍ଥ ସିଧାସଳଖ ଶିବଲିଙ୍ଗ ତିଆରି କରୁଥିବା ପିଲାଙ୍କ ଉପରେ ପଡ଼ିଥିଲା, ଯେଉଁଥିପାଇଁ ଏକାସାଙ୍ଗରେ ୮ ଜଣ ଶିଶୁଙ୍କର ମୃତ୍ୟୁ ଘଟିଥିଲା। ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ଆବର୍ଜନା ହଟାଇବା କାମ ଆରମ୍ଭ କରିଥିଲେ, ଯାହା ପରେ ତଳେ ଫସି ରହିଥିବା ପିଲାମାନଙ୍କୁ ବାହାର କରାଯାଇଥିଲା। ସିଟି କାଉନସିଲ ଓ ପୁଲିସ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି।ଏନେଇ ସମ୍ପର୍କରେ ଖବର ପାଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗୋପାଳ ଭାର୍ଗବ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।