ଆଶ୍ରମରେ ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: କେରଳର କୋଲ୍ଲାମ ଜିଲ୍ଲାରେ ଜଣେ ୪୪ ବର୍ଷୀୟ ଆମେରିକୀୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମହିଳାଙ୍କୁ ନିଶା ଦେବା ପରେ ଦୁଇ ଅଭିଯୁକ୍ତ ତାଙ୍କୁ ନିଜ ସହ ଏକ ଅଜଣା ସ୍ଥାନକୁ ନେଇଯାଇଥିଲେ, ଯେଉଁଠାରେ ତାଙ୍କୁ ଅନେକ ଥର ଦୁଷ୍କର୍ମ କରାଯାଇଥିଲା। ଏହି ଘଟଣାରେ ପୁଲିସ ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଆଧ୍ୟାତ୍ମିକ ଜୀବନ ସନ୍ଧାନରେ ଗତ ଜୁଲାଇ ୨୨ରେ ଭାରତ ଆସି କୋଲ୍ଲାମସ୍ଥିତ ଏକ ଆଶ୍ରମରେ ରହୁଥିଲେ। ସେ ଜୁଲାଇ ୩୧ ତାରିଖରେ ମହିଳା ଜଣକ ଆଶ୍ରମ ନିକଟ ବେଳାଭୂମିରେ ଏକାକୀ ବସିଥିଲେ। ଏହାପରେ ଉଭୟ ଅଭିଯୁକ୍ତ ତାଙ୍କ ପାଖକୁ ଆସି ସିଗାରେଟ୍ ଯାଚିଥିଲେ । କିନ୍ତୁ ଆମେରିକୀୟ ମହିଳା ଜଣକ ସିଗାରେଟ୍ ପିଇବାକୁ ମନା କରିଦେଇଥିଲେ। କଥାବାର୍ତ୍ତାରେ ଅଭିଯୁକ୍ତମାନେ ମହିଳାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ । ଏହାପରେ ଅଭିଯୁକ୍ତମାନେ ତାଙ୍କୁ ମଦ (ରମ୍) ପିଇବାକୁ ଦେଇଥିଲେ । ପୁଲିସ ସୂଚନା ଅନୁଯାୟୀ, ରମ୍ ରେ କିଛି ନିଶାଦ୍ରବ୍ୟ ମିଶାଯାଇଥିଲା, ଯାହା ଫଳରେ ମହିଳା ଜଣକ ଅଚେତ ହୋଇପଡ଼ିଥିଲେ। ଏହାପରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଏକ ବାଇକ୍ ରେ ନିକଟସ୍ଥ ଏକ ନିର୍ଜନ ଘରକୁ ନେଇଯାଇଥିଲେ। ଯେଉଁଠାରେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା। ଚେତା ଫେରିବା ପରେ ଅଗଷ୍ଟ ୧ ତାରିଖ ରାତିରେ ସେ ଥାନାରେ ଅଭିଯୋଗ କରିଥିଲେ। ଯାହା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ପୁଲିସ କରୁଣାଗପଲ୍ଲୀ ଥାନାରେ ଆଇସିପିର ଧାରା ୩୭୬ଡି (ଗଣଦୁଷ୍କର୍ମ) ଓ ୩୭୬(୨)(ଏନ୍) (ଉକ୍ତ ମହିଳାଙ୍କୁ ବାରମ୍ବାର ଦୁଷ୍କର୍ମ) ଅନୁଯାୟୀ ଏକ ମାମଲା ରୁଜୁ କରିଛି ।

Related Articles

Back to top button