ଦିଲ୍ଲୀର ରୋହିଣୀ ଜିଲ୍ଲାର ପ୍ରଶାନ୍ତ ବିହାର ଅଞ୍ଚଳରେ ରବିବାର ହୋଇଛି ଏକ ବଡ଼ଧରଣର ବିସ୍ଫୋରଣର

ଦିଲ୍ଲୀର ରୋହିଣୀ ଜିଲ୍ଲାର ପ୍ରଶାନ୍ତ ବିହାର ଅଞ୍ଚଳରେ ରବିବାର ଏକ ବଡ଼ଧରଣର ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ) ସ୍କୁଲର କାନ୍ଥ ନିକଟରେ ଏହି ବିସ୍ଫୋରଣ ହୋଇଛି। ବୋମା ବିସ୍ଫୋରଣ ପରେ ତୁରନ୍ତ ବିପୁଳ ଧୂଆଁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସିଆରପିଏଫ୍ ସ୍କୁଲ୍ ପାଚେରି ନିକଟରେ ବୋମା ବିସ୍ଫୋରଣର ଖବର ମିଳିଛି। ବିସ୍ଫୋରଣ ପୂର୍ବରୁ ଦିଲ୍ଲୀ ପୁଲିସ ଓ ଅଗ୍ନିଶମ ବିଭାଗକୁ ଏ ନେଇ ସୂଚନା ମିଳିଥିଲା। ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ଘଟଣାସ୍ଥଳରେ ସେମିତି କିଛି ମିଳିନଥିଲା। ଦିଲ୍ଲୀ ପୁଲିସ ଏହି କଲ୍‌ର ତଦନ୍ତ କରୁଛି। ଘଟଣାସ୍ଥଳରେ ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ଅଗ୍ନିଶମ କର୍ମଚାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା ବିଭାଗର ସୂଚନା ଅନୁଯାୟୀ ରୋହିଣୀର ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆରପିଏଫ ସ୍କୁଲ ବାହାରେ ଏହି ବିସ୍ଫୋରଣ ଘଟିଛି। ସକାଳ ପ୍ରାୟ ୭ଟା ୫୦ରେ ଅଗ୍ନିଶମ ବିଭାଗକୁ ଘଟଣା ସମ୍ପର୍କରେ ଖବର ମିଳିବା ପରେ ତୁରନ୍ତ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳକୁ ପଠାଯାଇଥିଲା। ତେବେ ଏପର୍ଯ୍ୟନ୍ତ କାନ୍ଥରେ କୌଣସି ଅଗ୍ନିକାଣ୍ଡ କିମ୍ବା କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।

ରୋହିଣୀ ଡିସିପି ଅମିତ ଗୋଏଲ କହିଛନ୍ତି ଯେ ବିସ୍ଫୋରଣର ପ୍ରକୃତ କାରଣ ଜାଣିବା ପାଇଁ ବିଶେଷଜ୍ଞମାନଙ୍କୁ ଡକାଯାଇଛି। ତେବେ ଏହା କେଉଁ ପ୍ରକାରର ବିସ୍ଫୋରଣ ଓ ଏହାର ଉତ୍ସ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ଏକ ବିଶେଷଜ୍ଞ ଟିମ୍ ଘଟଣାର ଗଭୀର ତଦନ୍ତ କରୁଛି ବୋଲି ଡିସିପି କହିଛନ୍ତି। ଖୁବଶୀଘ୍ର ବିସ୍ଫୋରଣକୁ ନେଇ ସ୍ଥିତି ସ୍ପଷ୍ଟ ହୋଇଯିବ। ବିସ୍ଫୋରଣ ଖବର ପାଇବା ପରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍‌ର ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି। ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣ ଯୋଗୁଁ ନିକଟରେ ଛିଡ଼ା ହୋଇଥିବା ଗାଡ଼ି ଓ ଘରର କାଚ ମଧ୍ୟ ଭାଙ୍ଗି ଯାଇଛି। ସିଆରପିଏଫ ସ୍କୁଲ ନିକଟରେ ଅନେକ ଦୋକାନ ଥିବାରୁ ଏହି ବିସ୍ଫୋରଣ ସିଲିଣ୍ଡର ବିସ୍ଫୋରଣର ପରିଣାମ ହୋଇପାରେ ବୋଲି କୁହାଯାଉଛି।

Related Articles

Back to top button