
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପାଇଁ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ପାଇଁ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରିପୋର୍ଟ ଅନୁସାରେ, ଆମେରିକା ଭାରତକୁ ଚୀନ୍, ମେକ୍ସିକୋ ଏବଂ କାନାଡାଠାରୁ ଭିନ୍ନ ଶୁଳ୍କ ବର୍ଗରେ ରଖିବାକୁ ନିଷ୍ପତ୍ତି ନେଇଛି । ପ୍ରଥମ ଥର ପାଇଁ, ଭାରତ ଏବଂ ଆମେରିକା ମଧ୍ୟରେ ବୁଧବାର ଦିନ ଦିଲ୍ଲୀରେ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ହୋଇଛି । ଏହି ଆଲୋଚନାରେ ଭାରତକୁ ଶୁଳ୍କ କ୍ଷେତ୍ରରେ ଚୀନ୍, ମେକ୍ସିକୋ ଏବଂ କାନାଡା ପରି ବ୍ୟବହାର କରାଯିବ ନାହିଁ ବୋଲି ଆମେରିକୀୟ ଅଧିକାରୀମାନେ ସୂଚିତ କରିଛନ୍ତି । ଦୁଇ ଦେଶର ବାଣିଜ୍ୟିକ ଅଧିକାରୀଙ୍କ ମଧ୍ୟରେ ଏହି ବୈଠକ ଏପରି ଏକ ସମୟରେ ହୋଇଥିଲା ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ପ୍ଲାନ୍ ୨ ଏପ୍ରିଲରୁ ଲାଗୁ ହେବାକୁ ଯାଉଛି । ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ କ୍ଷମତାକୁ ଆସିବା ପରେ, ଟ୍ରମ୍ପ ଚୀନ୍ ସହିତ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛନ୍ତି । ଏହା ସହିତ, କାନାଡା ଏବଂ ମେକ୍ସିକୋ ଉପରେ ଶୁଳ୍କ ଘୋଷଣା କରାଯାଇଛି । କିନ୍ତୁ ଭାରତ ପାଇଁ ଏପରି କଠୋରତା ଦେଖାଇନି ଆମେରିକା । ଭାରତ ପାଇଁ ଟାରିଫ୍ ପ୍ଲାନରେ ପରିବର୍ତ୍ତନ କରିବା ନିଷ୍ପତ୍ତି ଉଭୟ ଦେଶ ପାଇଁ ଲାଭଦାୟକ ହେବ ବୋଲି ଆଶା କରାଯାଉଛି ।
ରିପୋର୍ଟ ଅନୁଯାୟୀ, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଆମେରିକା ଗସ୍ତ ପରେ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ଏହି ବୈଠକ ଆରମ୍ଭ ହେଉଛି । ସେ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ସମ୍ପର୍କରେ ଆମେରିକାର ବାଣିଜ୍ୟ ପ୍ରତିନିଧି ଜାମିସନ୍ ଗ୍ରୀଅର୍ ଏବଂ ବାଣିଜ୍ୟ ସଚିବ ହାୱାର୍ଡ ଲୁଟନିକ୍ଙ୍କୁ ଭେଟିଥିଲେ । ଏହା ପରେ ଉଭୟ ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି । ଆଲୋଚନାରୁ ସ୍ପଷ୍ଟ ହୋଇଛିଯେ ଆମେରିକା ଚୀନ୍, ମେକ୍ସିକୋ ଏବଂ କାନାଡା ଭଳି ଭାରତକୁ ସମାନ ଭାବରେ ଦେଖେ ନାହିଁ । ତେଣୁ କୁହାଯାଇଛି, ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା (BTA)ର ଢାଞ୍ଚା ଶୁକ୍ରବାର ସୁଦ୍ଧା ଚୂଡ଼ାନ୍ତ ହୋଇଯିବ ବୋଲି ଆଶା କରାଯାଉଛି ।