
ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ : ଆଧାର କାର୍ଡ ନାଗରିକତାର ପ୍ରମାଣ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ
ଆଧାର କାର୍ଡ ନାଗରିକତାର ପରିଚୟ ନୁହେଁ । ଏହା କହିଛନ୍ତି ନିର୍ବାଚନ କମିଶନ । ସୁପ୍ରିମକୋର୍ଟରେ ବିହାରର ଭୋଟର ତାଲିକା ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଏଭଳି ତଥ୍ୟ ରଖିଛନ୍ତି ଭାରତୀୟ ନିର୍ବାଚନ କମିଶନ ।୨୦୦୩ ନିର୍ବାଚନ ସମୟରେ ଭୋଟର ତାଲିକାରେ ନଥିବା ଆଧାର କାର୍ଡଧାରୀ ଓ ଭୋଟର କାର୍ଡଧାରୀଙ୍କୁ ଭୋଟର ତାଲିକାରୁ ବାଦ ଦେବାକୁ ନେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଏହି ମାମଲା ରୁ୍ଜୁ ହୋଇଛି ।
ବିହାରରେ ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଭୋଟର ତାଲିକାର ପୁନଃ ନିରୀକ୍ଷଣ କାର୍ଯ୍ୟ ଭାରତୀୟ ନିର୍ବାଚନ କମିଶନ କରାଉଛନ୍ତି । ଭୋଟରମାନଙ୍କୁ ଏବେ ନାଗରିକତାର ପ୍ରମାଣ ଦେବାକୁ ପଡୁଛି । ଯାହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଛି । ଏହି ସମସ୍ତ ମାମଲାର ଏକତ୍ର ଶୁଣାଣି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଜଷ୍ଟିସ ସୁଧାଂଶୁ ଧୁଳିଆ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀ କରୁଛନ୍ତି ।
ଜଣେ ଆବେଦନକାରୀ ଓକିଲ ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କର ନାରାୟଣ କୋର୍ଟଙ୍କ ଦୃଷ୍ଟିକୁ ଆଣିଥିଲେ ଯେ, ବିହାରରେ ହେଉଥିବା ସ୍ପେଶାଲ ଇଣ୍ଟେନସିଭ ରିଭିଜନରେ ଆଧାର କାର୍ଡକୁ ନିର୍ବାଚନ କମିଶନ ଗ୍ରହଣ କରୁ ନାହାନ୍ତି । ଏହାର ଜବାବରେ ଭାରତୀୟ ନିର୍ବାଚନ କମିଶନଙ୍କ ଓକିଲ ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ କହିଛନ୍ତି, ଆଧାର କାର୍ଡ ନାଗରିକତାର ପ୍ରମାଣ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ । ସୁପ୍ରିମକୋର୍ଟରେ ଏହି ମାମଲା ମହୁଆ ମୈତ୍ର, ମନୋଜ କୁମାର ଝା, କେ ସି ବେଣୁଗୋପାଳ, ସୁପ୍ରିୟା ସୁଲେ, ଡି ରାଜା, ହରିନ୍ଦର ମଲ୍ଲିକ, ଅରବିନ୍ଦ ସାୱନ୍ତ, ସାଫରଜ ଅହମ୍ମଦ, ଦୀପଙ୍କର ଭଟ୍ଟାଚାର୍ଯ୍ୟ ଭଳି ସାଂସଦ ନେତାଙ୍କ ଦ୍ଵାରା କରାଯାଇଛି ।