ଗତ ୫ବର୍ଷ ମଧ୍ୟରେ କେନ୍ଦ୍ରୀୟ ପୁଲିସରେ ମିଳିଛି ୧.୦୯ ଲକ୍ଷ ନିଯୁକ୍ତି
ନୂଆଦିଲ୍ଲୀ : ଗତ ୫ବର୍ଷ ମଧ୍ୟରେ ବିଏସ୍ଏଫ, ସିଆରପିଏଫ୍, ସିଆଇଏସ୍ଏଫ୍, ଆଇଟିବିପି, ଏସଏସ୍ସି ଓ ଆସାମ ରାଇଫଲ୍ସ ଭଳି ୬ଟି କେନ୍ଦ୍ରୀୟ ପୁଲିସରେ ୧.୦୯ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି। ଗତ ୫ ବର୍ଷରେ ବିଏସ୍ଏଫରେ ୩୦,୫୬୫, ସିଆଇଏସ୍ଏଫରେ ୨୭,୨୨୮ ଓ ସିଆରପିଏଫରେ ୧୭,୬୫୪ଜଣଙ୍କୁ ନିଯୁକ୍ତି ମିଳଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବର୍ତ୍ତମାନ ସମୟରେ କେନ୍ଦ୍ରୀୟ ପୁଲିସରେ ୧,୭୧,୩୦୦ ପଦ ଖାଲି ପଡ଼ିଥିବା ରିପୋର୍ଟରେ ଦର୍ଶାଯାଇଛି। ସିଆରପିଏଫ୍ରେ ୨୬,୬୭୯, ବିଏସ୍ଏଫ୍ରେ ୨୧,୪୯୩, ସିଆଇଏସ୍ଏଫ୍ରେ ୧୧,୭୬୫, ଏସ୍ଏସ୍ବିରେ ୧୧,୭୬୫, ଆସାମ ରାଇଫଲ୍ସରେ ୭,୯୭୪ ଓ ଆଇଟିବିଟିରେ ୪୨୦୦ ପଦ ଖାଲି ପଡ଼ିଛି। ଏସବୁ ପଦ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଉଦ୍ୟମ ଆରମ୍ଭ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
ବିଏସ୍ଏଫ ପାକିସ୍ତାନ ସହ ଲାଗି ରହିଥିବା ୩୩୨୩ କିମି ଓ ବାଂଲାଦେଶ ସହ ଲାଗିଥିବା ୪୦୯୬ କିମି ସୀମାକୁ ସୁରକ୍ଷା କରୁଥିବା ବେଳେ ସିଆରପିଏଫ୍ ଦେଶର ଆଭ୍ୟନ୍ତରଣ ସୁରକ୍ଷା ଦାୟିତ୍ବରେ ରହିଛି। ସିଆଇଏସ୍ଏଫକୁ ବିଭିନ୍ନ ଉଦ୍ୟୋଗର ସୁରକ୍ଷା ଦାୟିତ୍ବରେ ରଖାଯାଇଥିବା ବେଳେ ଆଟିପିବି ଚୀନ୍ ସହ ଲାଗିଥିବା ୩୪୮୮ କିମି ସୀମା ସୁରକ୍ଷା ଦାୟିତ୍ବରେ ରହିଛି। ଏସଏସବି ନେପାଳ ସହ ଲାଗିଥିବା ୧୭୫୧ କିମି ଓ ଭୁଟାନ ସହ ଲାଗିଥିବା ୬୯୯ କିମି ସୀମା ସୁରକ୍ଷା ଦାୟିତ୍ବରେ ରହିଥିବା ବେଳେ ଆସାଫ ରାଇଫଲ୍ସ ମିଆଁମାର ସହ ଲାଗିଥିବା ୧୬୪୩ କିମି ସୀମାକୁ ସୁରକ୍ଷା ଯୋଗାଇ ଦେବା ସହ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଆତଙ୍କବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।