ସମାଚାର ପ୍ରସାରଣ କରିବା ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରାଯିବା ଉଚିତ୍: ଅନୁରାଗ ଠାକୁର

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ, “ପ୍ରାମାଣିକ ସୂଚନା ଓ ଖବର ପରିବେଷଣ କରିବା ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ ଏବଂ ସମାଚାରକୁ ସର୍ବସମ୍ମୁଖରେ ପ୍ରସାରଣ କରିବା ପୂର୍ବରୁ ଏହାକୁ ସଠିକ୍ ଭାବେ ଯାଞ୍ଚ କରାଯିବା ଉଚିତ୍”।

ଏସିଆ ପାସିଫିକ୍ ବ୍ରଡକାଷ୍ଟିଂ ୟୁନିୟନ ଜେନେରାଲ ଆସେମ୍ବଲି 2022ର ଉଦଘାଟନୀ ସମାରୋହକୁ ସମ୍ବୋଧିତ କରି ଶ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ଯେଉଁ ଗତିରେ ସୂଚନାକୁ ପ୍ରସାରିତ କରାଯାଉଛି ତାହା ବହୁତ ମହତ୍ତ୍ବପୂର୍ଣ୍ଣ। କିନ୍ତୁ ସଠିକତା ଏହାଠାରୁ ମଧ୍ୟ ଅଧିକ ଗୁରୁତ୍ବପୂର୍ଣ୍ଣ ଏବଂ ଏହି ବିଷୟ ପ୍ରତି ସମାଚାର ପରିବେଷଣକାରୀମାନେ ଧ୍ୟାନ ଦେବା ଉଚିତ୍‌।

ସେ କହିଛନ୍ତି ଯେ ସୋସିଆଲ୍ ମିଡିଆର ପ୍ରସାର ସହିତ ମିଛ ଖବର ବା ଫେକ୍‌ ନ୍ୟୁଜର ମଧ୍ୟ ପ୍ରସାର ହେଉଛି। ତେଣୁ ପ୍ରାମାଣିକ ଖବର ହୋଇନଥିଲେ ଏପରି ଖବରକୁ ବିଶ୍ବାସ ନକରିବା ଲାଗି ଶ୍ରୀ ଠାକୁର  ଏସୀୟ-ପ୍ରଶାନ୍ତ ମହାସାଗରୀୟ ଦର୍ଶକଙ୍କୁ ପରାମର୍ଶ ଦେଇଥିଲେ ।

ସେ କହିଥିଲେ ମିଛ ଖବରର ଦାବିକୁ ପ୍ରତିହତ କରିବା ଏବଂ ଲୋକଙ୍କ ନିକଟରେ ସତ୍ୟ ଉପସ୍ଥାପନ କରିବା ପାଇଁ ଭାରତ ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଫ୍ୟାକ୍ଟ ଚେକ୍ ୟୁନିଟ୍ ପ୍ରତିଷ୍ଠା କରାଯାଇଛି ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ଜନସାଧାରଣଙ୍କ ବିଶ୍ୱାସକୁ ବଜାୟ ରଖିବା ଦାୟିତ୍ବପ୍ରାପ୍ତ ଗଣମାଧ୍ୟମ ସଂଗଠନଗୁଡିକ ପାଇଁ ସର୍ବୋଚ୍ଚ ମାର୍ଗଦର୍ଶୀ ସିଦ୍ଧାନ୍ତ ହେବା ଉଚିତ୍। ଦେଶରେ ସାର୍ବଜନୀନ ଗଣମାଧ୍ୟମ ସଂସ୍ଥା ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓ ସର୍ବଦା ସତ୍ୟ ଖବର ପକ୍ଷରେ ରହିଛି । ସଠିକ୍ ଓ ପ୍ରାମାଣିକ ଖବର ପ୍ରସାରଣ ପାଇଁ ଲୋକଙ୍କ ବିଶ୍ୱାସ ହାସଲ କରିଥିବାରୁ ସେ ଏହି ଦୁଇ ଗଣମାଧ୍ୟମ ସଂସ୍ଥାକୁ ପ୍ରଶଂସା କରିଥିଲେ ।

କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ ସଙ୍କଟ ସମୟରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ ହୋଇଥାଏ। ଗଣମାଧ୍ୟମ ସିଧାସଳଖ ଜୀବନ ରକ୍ଷା କରିବା ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରମୁଖ ଭୂମିକା ନିର୍ବାହ କରିଥାଏ। କୋଭିଡ୍ 19 ମହାମାରୀ ସମୟରେ ଘରେ ଅଟକି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା କ୍ଷେତ୍ରରେ ଗଣମାଧ୍ୟମର ଭୂମିକାକୁ ଅନୁରାଗ ଠାକୁର ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ମିଡିଆ ସେହି ସମୟରେ ଲୋକଙ୍କୁ ବାହ୍ୟ ଜଗତ ସହିତ ଯୋଡି ରଖିଥିଲା। ବିଶେଷ ଭାବରେ ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓ ଏବଂ ସାଧାରଣତଃ ଭାରତୀୟ ଗଣମାଧ୍ୟମ ଦ୍ୱାରା କରାଯାଇଥିବା ଉଲ୍ଲେଖନୀୟ କାର୍ଯ୍ୟ ବିଷୟରେ କେନ୍ଦ୍ର ମନ୍ତ୍ରୀ ଦର୍ଶକଙ୍କୁ ସୂଚନା ଦେଇଥିଲେ ।

ସେ କହିଥିଲେ ଯେ ଦୂରଦର୍ଶନ ଏବଂ ଅଲ୍ ଇଣ୍ଡିଆ ରେଡିଓ, ଜନସେବା ଦିଗରେ ଅତ୍ୟନ୍ତ ସନ୍ତୋଷଜନକ ଭାବରେ କାର୍ଯ୍ୟ କରିଛନ୍ତି । ମହାମାରୀ ସମୟରେ ଲୋକଙ୍କ ସହ ଦୃଢ଼ ଭାବରେ ଠିଆ ହୋଇଛନ୍ତି। ସେ କହିଛନ୍ତି ଯେ ସାଧାରଣତଃ ଭାରତୀୟ ଗଣମାଧ୍ୟମ ନିଶ୍ଚିତ କରିଛି ଯେ କୋଭିଡ୍-19 ସଚେତନତା ବାର୍ତ୍ତା, ଗୁରୁତ୍ୱପୂର୍ଣ୍ଣ ସରକାରୀ ନିର୍ଦ୍ଦେଶାବଳୀ ଏବଂ ଡାକ୍ତରଙ୍କ ସହ ମାଗଣା ଅନଲାଇନ୍ ପରାମର୍ଶ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚିଛି। ପ୍ରସାର ଭାରତୀ କୋଭିଡ୍ 19ରେ ଶହେରୁ ଅଧିକ ସଦସ୍ୟଙ୍କୁ ହରାଇଥିଲା। ତଥାପି ଏହି ସଂଗଠନ ଜନସେବା ଯୋଗାଇ ଦେବାରେ ଅବହେଳା କରିନଥିଲା ବୋଲି ମନ୍ତ୍ରୀ କହିଥିଲେ।

ସୂଚନାଯୋଗ୍ୟ ଯେ ଭାରତର ଲୋକ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ ପକ୍ଷରୁ 59ତମ ଏବିୟୁ ମହାସଭା ଆୟୋଜନ କରାଯାଉଛି ।  ଚଳିତ ବର୍ଷର ମହାସଭାର ବିଷୟ ହେଉଛି – ‘‘ଲୋକମାନଙ୍କର ସେବା : ସଙ୍କଟ ସମୟରେ ମିଡିଆର ଭୂମିକା।’’ ଆଜି ନୂଆଦିଲ୍ଲୀରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ଏହି ମହାସଭାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ. ମୁରୁଗନ, ସୂଚନା ଏବଂ ପ୍ରସାରଣ ସଚିବ ଶ୍ରୀ ଅପୂର୍ବ ଚନ୍ଦ୍ରା, ଏବିୟୁର ଅଧ୍ୟକ୍ଷ ଶ୍ରୀ ମସାଗାକି ସଟୋରୁ ଏବଂ ଏବିୟୁର ମହାସଚିବ ଶ୍ରୀ ଜାୱାଦ ମୋଟାଗ ମଧ୍ୟ ଉପସ୍ଥିତ ଥିଲେ। ଏବିୟୁ (ଏସିଆ ପାସିଫିକ୍ ବ୍ରଡକାଷ୍ଟିଂ ୟୁନିୟନ୍) ଏସିଆ ଏବଂ ପ୍ରଶାନ୍ତ କ୍ଷେତ୍ରର ପ୍ରସାରଣ ସଙ୍ଗଠନର ଏକ ଅଣ-ଲାଭକାରୀ ପେସାଦାର ସଂଘ ଅଟେ। ଚାଳିଶ ଦେଶର 50 ସଙ୍ଗଠନର ପ୍ରତିନିଧିତ୍ବ କରୁଥିବା 300 ରୁ ଅଧିକ ଅନ୍ତର୍ଜାତୀୟ ପ୍ରତିନିଧି ଏହି କାର୍ଯ୍ୟକ୍ରମରେ ଭାଗ ନେଉଛନ୍ତି।

Related Articles

Back to top button