ଆଦାନି ଗ୍ରୁପକୁ ସର୍ବୋଚ୍ଚ ନ୍ୟାୟଳୟରୁ ମିଳିଲା କ୍ଲିନଚିଟ୍ ।
ବହୁ ଚର୍ଚ୍ଚିତ ହିଣ୍ଡେନବର୍ଗ-ଆଦାନୀ ସମୂହ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଆସିଛି । ଏହି ମାମଲାରେ ଆଦାନି ଗ୍ରୁପକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ ମିଳିଛି । ସେବିର ତଦନ୍ତରେ କୌଣସି ତ୍ରୁଟି ନଥିବା କହିଛନ୍ତି ସୁପ୍ରିମକୋର୍ଟ । ଏହାସହ ୩ମାସ ମଧ୍ୟରେ ତଦନ୍ତ ଶେଷ କରିବାକୁ ସେବିକୁ କହିଛନ୍ତି ସୁପ୍ରିମକୋର୍ଟ ।
ହିଣ୍ଡେନବର୍ଗର ଅଭିଯୋଗ ଉପରେ ସେବିର ଯାଂଚ ନେଇ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ୩ବିଚାରପତିଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଶୁଣାଇଛନ୍ତି । ସେହିପରି ଏହି ମାମଲାରେ ଏସ୍ଆଇଟି ତଦନ୍ତକୁ ମନା କରିଦେଇଛନ୍ତି କୋର୍ଟ । ତଦନ୍ତକୁ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଂଜ ବୋର୍ଡ ଅଫ୍ ଇଣ୍ଡିଆ ବା ସେବିଠାରୁ ସ୍ପେଶାଲ ଇନଭେଷ୍ଟିଗେସନ ଟିମକୁ ନେବାର କୌଣସି କାରଣ ନାହିଁ । ନିୟମ ଅନୁଯାୟୀ ସେବି ତଦନ୍ତ କରୁଛି । ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ଏହା ଏକ ଦକ୍ଷ ଏଜେନ୍ସି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ସତ୍ୟମେବ ଜୟତେ ବୋଲି ନିଜ ପ୍ରତିକ୍ର୍ରିୟାର କହିଛନ୍ତି ଗୌତମ ଆଦାନି । ୨୦୨୩ ଜାନୁଆରିରେ ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ଏକ ରିପୋର୍ଟ ଜାରି କରି ଶିଳ୍ପପତି ଗୌତମ ଆଦାନିଙ୍କ ସବୁ କଂପାନୀ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ । ତେବେ ଆଦାନି ଗ୍ରୁପ ହିଣ୍ଡେନବର୍ଗ ରିପୋର୍ଟ ମିଛ ବୋଲି କହିବା ସତ୍ୱେ ଆଦାନି ଗ୍ରୁପର ସେୟାର ତଳକୁ ଖସିଥିଲା । ଏବଂ ଆଦାନି ଗ୍ରୁପକୁ ବହୁ କୋଟି ଟଙ୍କାର କ୍ଷତି ସହିବାକୁ ପଡିଥିଲା । ଏହି ମାମଲାରେ କୋର୍ଟଙ୍କ ତତ୍ୱାବଧାନରେ ଏସଆଇଟି କମିଟି ତଦନ୍ତ କରିବା ପାଇଁ ବହୁ ଆବେଦନ ସୁପ୍ରିମକୋର୍ଟରେ ହୋଇଥିଲା । ଏହାପରେ ସୁପ୍ରିମକୋର୍ଟ ମାମଲାର ତଦନ୍ତ କରିବାକୁ ସେବିକୁ ନିର୍ଦ୍ଦେଶ ଦେଇଥିଲେ । ସେବି ତଦନ୍ତ କରି ଷ୍ଟାଟସ ରିପୋର୍ଟ ଦାଖଲ କରିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଆଜି ଏହି ମାମଲାର ରାୟ ଶୁଣାଣି ହୋଇଛି ।