ବିଲ୍ ପାସ୍ ହେବା ପରେ ମହିଳା ସାଂସଦମାନେ ଉତ୍ସବ ମନାଇଛନ୍ତି

ଲୋକସଭା ଏବଂ ରାଜ୍ୟସଭା ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ୍ ପାସ୍ ହେବା ପରେ ମହିଳା ସାଂସଦମାନେ ପରସ୍ପରକୁ ମିଠା ଖୁଆଇ ସେଲିବ୍ରେସନ କରିଛନ୍ତି । ମଧ୍ୟରାତ୍ରରେ ସଂସଦ ପରିସରରେ ଉତ୍ସବର ପରିବେଶ ଦେଖିବାକୁ ମିଳିଥିଲା । ମହିଳା ସାଂସଦମାନେ ଏକାଠି ହୋଇ ସେଲିବ୍ରେସନ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଛନ୍ତି। ମୋଦି ସରକାରଙ୍କ ଦୃଢ଼ ମନୋବଳ ପାଇଁ ଆଜି ଏହା ସମ୍ଭବ ହୋଇପାରିଥିବା ମହିଳା ସାଂସଦମାନେ କହିଛନ୍ତି । ଏହି ଐତିହାସିକ ବିଲ ପାସ ପାଇଁ ସମସ୍ତେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

ମହିଳା ସଂରକ୍ଷଣ ବିଲ୍‌କୁ ରାଜ୍ୟସଭାର ମୋହର ମାରିଛି । ଲୋକସଭା ପରେ ରାଜ୍ୟସଭାରେ ପାସ୍‌ ହୋଇଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଧେୟକ । ଏ ବିଲ୍‌କୁ ସଂସଦର ଉଚ୍ଚ ସଦନରେ ଗତକାଲି ଦିନ ତମାମ ଚର୍ଚ୍ଚା ହୋଇଥିଲା । ଶେଷରେ ଭୋଟିଂ ବେଳେ ବିଲ୍‌ ସପକ୍ଷରେ ୨୧୫ ଭୋଟ୍‌ ପଡ଼ିଥିବା ବେଳେ ବିପକ୍ଷରେ କେହି ବି ଭୋଟ୍ ଦେଇନଥିଲେ । ତେବେ ରାଜ୍ୟସଭାରେ ଆଲୋଚନା ବେଳେ ବିଲ୍‌କୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ଦାବି ଥିଲା ଯେ, ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଥିବା ଏହି ବିଲ୍‌ରେ ଓବିସି ଓ ଏସ୍‌ସି-ଏସ୍‌ଟି ବର୍ଗଙ୍କୁ ବି ସାମିଲ କରାଯାଉ । ସେହିପରି ଏହି ବିଲ୍‌ ଆଇନରେ ପରିଣତ ହେବା ପରେ ଏହାକୁ କେବେ ଲାଗୁ କରାଯିବ, ତାକୁ ବି ନେଇ ବିତର୍କ ହୋଇଥିଲା । ପୂର୍ବରୁ ମଧ୍ୟ ଲମ୍ବା ବିତର୍କ ପରେ ଲୋକସଭାରେ ବିପୁଳ ଭୋଟ୍‌ରେ ଏହି ଐତିହାସିକ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇଥିଲା । ଲୋକସଭାରେ ବିଲ୍ ସପକ୍ଷରେ ୪୫୪ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ୍ ରହିଥିଲା ।

ଏବେ ଉଭୟ ଗୃହରେ ଏହି ବିଲ୍ ପାସ୍ ହୋଇସାରିଥିବା ବେଳେ ଏହା ରାଷ୍ଟ୍ରପତିଙ୍କ ପାଖକୁ ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ହିଁ ଏ ବିଲ୍ ଆଇନରେ ପରିଣତ ହେବ । ଏହି ବିଲ୍‌ ଆଇନରେ ପରିଣତ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ । ମହିଳା ବିଲ୍ ପାସ୍ ହେବା ସହ ରାଜ୍ୟସଭା ଓ ଲୋକସଭା ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି । ଏହି ସ୍ୱତନ୍ତ୍ର ଅଧିବେଶନ ୫ ଦିନ ଚାଲିବାକୁ ଥିବାବେଳେ ଦିନକ ପୂର୍ବରୁ ଏହା ସମାପ୍ତ ହୋଇଛି ।

Related Articles

Back to top button