ଆନ୍ଧ୍ରରେ ପୁଣି ଚନ୍ଦ୍ରବାବୁଙ୍କ ସଭାରେ ଦଳାଚକଟା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁଙ୍କ ବେଳକାଳ ଠିକ୍ ନାହିଁ । ଗୋଟିଏ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଚନ୍ଦ୍ରବାବୁଙ୍କ ସଭାରେ ଦଳାଚକଟା ଦେଖିବାକୁ ମିଳିଛି । ଆଜି ପ୍ରବଳ ଭିଡ଼ କାରଣରୁ ଦଳଚକଟାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଅନେକ ବ୍ୟକ୍ତି ଆହତ ମଧ୍ୟ ହୋଇଛନ୍ତି । ଆନ୍ଧ୍ରରେ ବାରମ୍ବାର ଦଳାଚକଟାରେ ନିରୀହ ଜନତା ମୃତ୍ୟୁବରଣ କରୁଥିବା ଖବର ଏବେ ଚର୍ଚ୍ଚାରେ ରହିଛି ।

ଆଜି ସନ୍ଧ୍ୟା ସମୟରେ ଏହି ଅଘଟଣ ଦେଖିବାକୁ ମିଳିଥିଲା । ଭିଡ଼ ପାଇଁ ୩ ଜଣଙ୍କ ଜୀବନ ଯିବା ସହିତ ଅନେକ ଆହତ ହୋଇଥିଲେ । ଆହତ ଲୋକମାନଙ୍କୁ ସରକାରୀ ଜେନେରାଲ ହସ୍ପିଟାଲରେ (ଜିଜିଏଚ)ରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ତେବେ ଚନ୍ଦ୍ରବାବୁଙ୍କ ସଭାରେ ବାରମ୍ବାର ପ୍ରବଳ ଭିଡ଼ ପରିଲକ୍ଷିତ ହେବା ସହିତ ଏକାଧିକ ଲୋକଙ୍କ ମୃତ୍ୟୁ ଘଟିବା ଏବେ ରାଜ୍ୟ ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି । ଆଗକୁ ଯେପରି ଏହି ଘଟଣାର ପୁନରାବୃତ୍ତି ନଘଟେ ସେଥିପାଇଁ ପ୍ରୟାସ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ଗତ ମାସ ୨୮ ତାରିଖରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁଙ୍କ ସଭାରେ ପ୍ରବଳ ଭିଡ଼ କାରଣରୁ ୭ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ । ଶ୍ରୀ ନାଇଡ଼ୁଙ୍କ ନେଲୋର ଜିଲ୍ଲା ଗସ୍ତ ସମୟରେ ଏହି ଭୟଙ୍କର ଭିଡ଼ କାଳ ସାଜିଥିଲା । ଭିଡ଼ ପାଇଁ ରାସ୍ତାଘାଟରେ ଟ୍ରାଫିକ୍ ଜାମ୍ ହୋଇଯାଇଥିଲା ।

Related Articles

Back to top button