ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ, ଭାରତୀୟ ସେନା ପକ୍ଷରୁ ଜାରି ହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି। ଆଗକୁ ସେନାରେ ଯୋଗଦେବାକୁ ଇଚ୍ଛୁକ ପ୍ରାର୍ଥିମାନେ ପ୍ରଥମେ ନିର୍ଦ୍ଧିଷ୍ଟ କେନ୍ଦ୍ରଗୁଡ଼ିକରେ ଏକ ଅନ୍‌ଲାଇନ୍‌ ସାଧାରଣ ପ୍ରବେଶିକା ପରୀକ୍ଷା ଦେବେ। ଏହାପରେ ନିଯୁକ୍ତି ରାଲିରେ ଶାରୀରିକ ସୁସ୍ଥତା ପରୀକ୍ଷଣ କରାଯିବ। ଶେଷରେ ସେନାରେ ଚୟନ ପୂର୍ବରୁ ତାଙ୍କର ଡାକ୍ତରୀ ପରୀକ୍ଷା ହେବ। ଶୁକ୍ରବାର ସେନା ପକ୍ଷରୁ ପ୍ରକାଶିତ ବିଜ୍ଞାପନରେ ଯବାନଙ୍କ ଭର୍ତ୍ତି ଲାଗି ଏହି ତିନୋଟି ପର୍ଯ୍ୟାୟର ବିବରଣୀ ଦିଆଯାଇଛି।

ପୂର୍ବରୁ ଅଗ୍ନିବୀର ଭର୍ତ୍ତି ଲାଗି ଶାରୀରିକ ସୁସ୍ଥତା ପରୀକ୍ଷା(ଫିଜିକାଲ୍‌ ଫିଟ୍‌ନେସ୍‌ ଟେଷ୍ଟ) କରିବାକୁ ପଡ଼ୁଥିଲା। ଏହାପରେ ସେମାନଙ୍କର ଡାକ୍ତରୀ ପରୀକ୍ଷା ହେଉଥିଲା। ଶେଷରେ ତାଙ୍କୁ ସାଧାରଣ ପ୍ରବେଶିକା ପରୀକ୍ଷାରେ ପାସ୍‌ ହେବାକୁ ପଡ଼ୁଥିଲା। ଏହି ପ୍ରକିୟାରେ ଉତ୍ତୀର୍ଣ୍ଣ ହୋଇ ଏଯାବତ ୧୯ହଜାର ଅଗ୍ନିବୀର ସେନାରେ ଯୋଗ ଦେଇଛନ୍ତି। ମାର୍ଚ୍ଚ ପ୍ରଥମ ସପ୍ତାହରୁ ୨୧ ହଜାର ସେନାରେ ଯୋଗଦେବେ। ତେବେ ନୂତନ ନିଯୁକ୍ତି ନିୟମ ୨୦୨୩-୨୪ର ପରବର୍ତ୍ତୀ ନିଯୁକ୍ତି ପ୍ରକ୍ରିୟାରୁ ଯୋଗଦେବାକୁ ଇଚ୍ଛୁକ ପ୍ରାୟ ୪୦,୦୦୦ ପ୍ରାର୍ଥୀଙ୍କ ଉପରେ ପ୍ରଯୁଜ୍ୟ ହେବ।

ପୂର୍ବ ପ୍ରକ୍ରିୟାରେ ବହୁ ସଂଖ୍ୟକ ଆଶାୟୀଙ୍କ ସ୍କ୍ରିନିଂ କରାଯାଉଥିଲା, ଏହା ପ୍ରଶାସନିକ ଉତ୍ସ ଉପରେ ଚାପ ସୃଷ୍ଟି କରିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ଏବଂ ପର୍ଯ୍ୟାପ୍ତ ମେଡିକାଲ କର୍ମଚାରୀଙ୍କୁ ନିୟୋଜିତ କରାଯାଉଥିଲା। ଏବେ ନୂତନ ନିଯୁକ୍ତି ପ୍ରକ୍ରିୟା ଏହି ରାଲି ଆୟୋଜନ ସହ ଜଡ଼ିତ ଖର୍ଚ୍ଚକୁ ହ୍ରାସ କରିବ ବୋଲି କୁହାଯାଉଛି।

Related Articles

Back to top button