ମତଦାନ ସମୟରେ ମୁସଲମାନ ମହିଳାଙ୍କ ବୁର୍ଖା ନ ହଟାଇବାକୁ ସମାଜବାଦୀ ପାର୍ଟିର ଚିଠି
ଉତ୍ତର ପ୍ରଦେଶ ଉପ ନିର୍ବାଚନ ପୂର୍ବରୁ ମୁସଲିମ ଭୋଟରଙ୍କୁ ଖୁସି କରିବାକୁ ସମାଜବାଦୀ ପାର୍ଟି ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ଏକ ଅଜବ ଦାବି ଉପସ୍ଥାପନ କରିଛି । ଅଖିଳେଶ ଯାଦବଙ୍କ ସପା ଦଳ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛି । ମତଦାନ ସମୟରେ ମୁସଲମାନ ମହିଳାଙ୍କ ବୁର୍ଖା ନ ହଟାଇବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ସମାଜବାଦୀ ପାର୍ଟି ଲେଖିଛି, ଯଦି ମହିଳା ବୁର୍ଖା ପିନ୍ଧି ମତଦାନ କରନ୍ତି ତେବେ ପୁଲିସ ହସ୍ତକ୍ଷେପ ନ କରୁ । ବୁର୍ଖା ହଟାଇବାକୁ ନେଇ ମୁସଲମାନ ମହିଳାମାନେ ଡରି ଯାଉଛନ୍ତି । ଫଳରେ ସେମାନେ ମତଦାନ କରି ପାରୁ ନାହାଁନ୍ତି ।
ଖାଲି ସେତିକି ନୁହେଁ ସମାଜବାଦୀ ପାର୍ଟି ଆହୁରି କିଛି ଦାବି ରଖିଛି । ମତଦାନ ସମୟରେ ପରିଚୟ ପତ୍ର ଯାଞ୍ଚ କରିବା ଅଧିକାର ପୁଲିସ ପାଖରେ ନ ରଖିବାକୁ ମଧ୍ୟ ଦଳ କହିଛି । କାରଣ ମୁସଲମାନ ମହିଳାମାନେ ଭୟଭୀତ ହୋଇଯାଉଛନ୍ତି । ଆସନ୍ତା ନଭେମ୍ବର ୨୦ରେ ଉତ୍ତର ପ୍ରଦେଶରେ ୯ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଯାଉଛି । କରହଲ, କୁନ୍ଦରକୀ, ସୀସାମଉ, କଟେହରୀ, ମୀରାପୁର, ଫୁଲପୁର, ମଞ୍ଝବା, ଖୈର ଏବଂ ଗାଜିଆବାଦ ଆସନରେ ମତଦାନ ହେବ । ନଭେମ୍ବର ୨୩ରେ ଫଳାଫଳ ପ୍ରକାଶ ପାଇବ । ତେବେ ସପାର ଏହି ଦାବି କିଛି ନୂଆ ନୁହେଁ । ଏହାକୁ ବିଜେପି ମଧ୍ୟ ବିରୋଧ କରି ଆସିଛି । ଚଳିତ ବର୍ଷ ଦିଲ୍ଲାରେ ହୋଇଥିବା ଲୋକସଭା ନିର୍ବାଚନ ସମୟରେ ବିଜେପି ଏହାକୁ ତୀବ୍ର ବିରୋଧ କରିଥିଲା । ବିଧାୟକ ଅଜୟ ମହାୱର, ମୋହନ ସିଂହ ବିଷ୍ଟ, କିଶନ ଶର୍ମା, ନୀରଜ ଗୁପ୍ତାଙ୍କୁ ନେଇ ବିଜେପିର ଏକ ପ୍ରତିନିଧି ଦଳ ଦିଲ୍ଲାରେ ନିର୍ବାଚନ ଆୟୋଗ ମୁଖ୍ୟଙ୍କୁ ଭେଟି ଦାବି ପତ୍ର ଦେଇଥିଲେ । ମତଦାନବେଳେ ଯେଉଁମାନେ ବୁର୍ଖା କିମ୍ବା ମାସ୍କ ପିନ୍ଧି ଆସୁଛନ୍ତି ସେମାନଙ୍କର ଯାଞ୍ଚ କରିବା ପରେ ଭୋଟ ଦେବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ । ମହିଳା ଅଧିକାରୀମାନେ ସେମାନଙ୍କର ମୁହଁ ଦେଖି ଭିତରକୁ ଛାଡ଼ିବେ ।