ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ସଂପୃକ୍ତ ୬ ଅଭିଯୁକ୍ତଙ୍କୁ ଖଲାସ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ରାଜୀବ ଗାନ୍ଧୀ ହତ୍ୟା ଘଟଣାରେ ସଂପୃକ୍ତ ଜେଲରେ ବନ୍ଦୀ ୬ ଜଣ ଅଭିଯୁକ୍ତଙ୍କୁ ଖଲାସ  କରିବା ପାଇଁ  ଆଦେଶ ଦେଇଛନ୍ତି। ଏ ନେଇ ସୁପ୍ରିମକୋର୍ଟ ତାଙ୍କ ରାୟରେ ଯଦି ଦୋଷୀଙ୍କ ବିରୋଧରେ କୌଣସି ଅନ୍ୟ ମାମଲା ନାହିଁ ତେବେ ସେମାନଙ୍କୁ ମୁକ୍ତ କରିଦିଆଯିବା ଦରକାର ବୋଲି କହିଛନ୍ତି। ରାୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଦୀର୍ଘ ସମୟରୁ ରାଜ୍ୟପାଳ ପ୍ରସଙ୍ଗରେ ପଦକ୍ଷେପ ନେଉ ନାହାନ୍ତି, ଏଣୁ ଆମକୁ ନିଷ୍ପତ୍ତି ନେବାକୁ ପଡୁଛି।

କୋର୍ଟ କହିଛନ୍ତି ଯେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ପେରାରୀଭଲନର ମୁକ୍ତି ଆଦେଶ ମାମଲାର ବାକି ଦୋଷୀଙ୍କ ନିମନ୍ତେ ଲାଗୁ ହେବ। ଏହା ପୂର୍ବରୁ ସୁପ୍ରିମକୋର୍ଟ ଗତ ମେ ମାସରେ ରାଜୀବ ହତ୍ୟାକାରୀଙ୍କ ସହ ସାମିଲ ପେରାରୀଭଲନର ମୁକ୍ତି ଲାଗି  ଆଦେଶ ଦେଇଥିଲେ।  ରାଜୀବ ଗାନ୍ଧି ହତ୍ୟାକାଣ୍ଡରେ ନଳିନୀ, ରବିଚନ୍ଦ୍ରନ, ମୁରୁଗନ, ସନ୍ଥନ, ଜୟକୁମାର ଓ ରବର୍ଟ ପାୟସଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି। ମାମଲାରେ ଦୋଷୀ ପେରାରୀଭଲନ ପ୍ରଥମରୁ ମୁକ୍ତ ହୋଇସାରିଛନ୍ତି। ସୁପ୍ରିମକୋର୍ଟ ଗତ ମେ ୧୮ ତାରିଖ ଦିନ ଜେଲରେ ଉତ୍ତମ ବ୍ୟବହାର ପ୍ରଦର୍ଶନ ନିମନ୍ତେ ପେରାରୀଭଲନକୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଏଲ.ନାଗେଶ୍ୱରଙ୍କ ବେଞ୍ଚ ଆର୍ଟିକ୍ଲ ୧୪୨ର ଉପଯୋଗ କରି ପେରାରୀଭଲନକୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୧ ମେ ୧୯୯୧ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ ତାମିଲନାଡୁରେ ଏକ ନିର୍ବାଚନୀ ସଭାରେ ଆତ୍ମଘାତୀ ବିସ୍ଫୋରଣ ଦ୍ୱାରା ହତ୍ୟା କରାଯାଇଥିଲା। ଜନୈକା ମହିଳା ରାଜୀବଙ୍କୁ ପୁଷ୍ପମାଲ୍ୟାର୍ପଣ କରିବା ପରେ ବିସ୍ଫୋରଣ ହୋଇଥିଲା। ଫଳରେ ରାଜୀବଙ୍କ ସମେତ ମୋଟ ୧୮ ଜଣଙ୍କ ମୃତ୍ୟୁ ହୋଇଥିଲା। ରାଜୀବ ହତ୍ୟା ମାମଲାରେ ମୋଟ ୪୧ ଜଣଙ୍କୁ ଅଭିଯୁକ୍ତ କରାଯାଇଥିଲା। ଏଥିରୁ ୧୨ ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୩ ଜଣ ଫେରାର ଥିଲେ। ମାମଲାର ବାକି ୨୬ ଅଭିଯୁକ୍ତ ଧରାପଡିଥିଲେ।

ଗିରଫ ଲୋକଙ୍କ ମଧ୍ୟରେ ଶ୍ରୀଲଙ୍କା ଓ ଭାରତୀୟ ନାଗରିକ ଥିଲେ। ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ପ୍ରଭାକରଣ, ପୋଟ୍ଟୁ ଓମାନ ଓ ଅକିଲା ଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଟାଡା ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଦୀର୍ଘ ୭ ବର୍ଷଧରି ଚାଲିଥିବା ଆଇନଗତ କାର୍ଯ୍ୟାନୁଷ୍ଠାନରେ ଟାଡା କୋର୍ଟ ୨୮ ଜାନୁୟାରୀ ୧୯୯୮ରେ ୧ ହଜାର ପୃଷ୍ଠାର ରାୟ ଦେଇଥିଲେ। ଏଥିରେ ସମସ୍ତ ୨୬ ଜଣ ଜାକ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡାଦେଶ କରିଥିଲେ।

ପରେ ଟାଡା କୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯାଇଥିଲା। ଟାଡା କୋର୍ଟଙ୍କ ରାୟକୁ ହାଇକୋର୍ଟରେ ଚାଲେଞ୍ଜ କରାଯିବାର ପ୍ରାବଧାନ ନଥିଲା। ଏଣୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିବା ବେଳେ କୋର୍ଟଙ୍କ ୩ ଜଜ୍‌ଙ୍କ ବେଞ୍ଚ ଟାଡା କୋର୍ଟଙ୍କ ରାୟକୁ ଓଲଟାଇ ଦେଇଥିଲେ। ସୁପ୍ରିମକୋର୍ଟ ୨୬ ଦୋଷୀଙ୍କ ମଧ୍ୟରୁ ୧୯ ଜଣଙ୍କୁ ମୁକ୍ତ କରିଦେଇଥିଲେ। ତେବେ ୭ ଦୋଷୀଙ୍କ ଫାଶୀ ଦଣ୍ଡାଦେଶକୁ କାୟମ ରଖିଥିଲେ। ତେବେ ପରେ ସେମାନଙ୍କ ମୃତ୍ୟୁଦଣ୍ଡକୁ ବଦଳାଇ ଆଜୀବନ କାରାଦଣ୍ଡାଦେଶ କରାଯାଇଥିଲା।

Related Articles

Back to top button