ବିମାନ କ୍ୟାବିନରେ ପୋଡା ଗନ୍ଧ ହେବାରୁ ମୁମ୍ବାଇ ଫେରିଲା ବେଙ୍ଗାଲୁରୁ ଯାଉଥିବା ଆକାସା ଏୟାର ବିମାନ

ମୁମ୍ବାଇ: ମୁମ୍ବାଇରୁ ଶନିବାର ବେଙ୍ଗାଲୁରୁ ଲାଗି ଉଡାଣ କରିଥିବା ଆକାସା ଏୟାରର ବିମାନ କ୍ୟାବିନରେ ପୋଡା ଗନ୍ଧ ହେବାରୁ ପାଇଲଟ ଅଧବାଟରୁ ବିମାନକୁ ମୁମ୍ବାଇ ଫେରାଇ ଆଣିଛନ୍ତି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଏହି ସୂଚନା ଦେଇଛନ୍ତି। ବିମାନ ସହ ପକ୍ଷୀ ଧକ୍କା ଲାଗିବା ଯୋଗୁ ଏପରି ହୋଇଥିବା କୁହାଯାଇଛି। ମାମଲାର ଯାଞ୍ଚ କରାଯାଉଥିବା ଡିଜିସିଏ ଅଧିକାରୀ କହିଛନ୍ତି।

ଆକାସା ଏୟାରର ଉଡାଣ ସଂଖ୍ୟା ଏକେଜେ-୧୧୦୩ ବିମାନ ଭିଟି-ୱାଇଏଇ ମୁମ୍ବାଇରୁ ବେଙ୍ଗାଲୁରୁ ଉଦ୍ଦେଶ୍ୟରେ ଉଡାଣ କରିଥିଲା। ତେବେ କ୍ୟାବିନରେ ପୋଡା ଗନ୍ଧ ବାହାରିବାରୁ ପାଇଲଟ ବିମାନକୁ ପୁଣି ଏୟାରପୋର୍ଟ ଫେରାଇଆଣିଥିଲେ। ପାଇଲଟ ଥ୍ରଷ୍ଟ ବଢାଇଲେ ପୋଡାଗନ୍ଧ ବେଶି ବାହାରୁଥିଲା। ଏଣୁ ଲ୍ୟାଣ୍ଡିଂ ପରେ ଯାଞ୍ଚ କରାଯିବାରୁ ବିମାନ ଇଞ୍ଜିନରେ ପକ୍ଷୀ ଧକ୍କା ଲାଗିଥିବା ଜଣାପଡିଛି। ୧ ନମ୍ବର ଇଞ୍ଜିନରେ ପକ୍ଷୀର ଅବଶେଷ ମିଳିଛି।

ଆକାସା ଏୟାରର ଯେଉଁ ବିମାନ ସହ ପକ୍ଷୀ ଧକ୍କା ଲାଗିଥିଲା ଏହା ଏକ ବୋଇଂ ୭୩୭ ମାକ୍ସ ବିମାନ। ତେବେ ବିମାନ ମୁମ୍ବାଇରେ ସୁରକ୍ଷିତ ଆବତରଣ କରିଥିବା ଆକାସା ମୁଖପାତ୍ର କହିଛନ୍ତି। ବିମାନରୁ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯିବା ପରେ ଯାଞ୍ଚ କରାଯାଇଥିଲା। ବିମାନ ପୁଣି ସେବାକୁ ଫେରିଆସିଛି। ତେବେ ଏଥିଲାଗି ଯାତ୍ରୀଙ୍କୁ ହୋଇଥିବା ଅସୁବିଧା ଲାଗି ବିମାନ କମ୍ପାନୀ ପକ୍ଷରୁ କ୍ଷମାଯାଚନା କରାଯାଇଛି। ତେବେ ବିମାନ ଚାଳକ ଦଳ ସବୁ ପ୍ରୋଟକଲର ପାଳନ କରିଥିବା ମୁଖପାତ୍ର କହିଛନ୍ତି।

Related Articles

Back to top button