ଅକ୍ଟୋବର ୧୫ରୁ ଅକାସା ଏୟାର ବିମାନରେ ପୋଷା ଜୀବଜନ୍ତୁଙ୍କ ସହ ଯାତ୍ରା ଲାଗି ଅନୁମତି

ନୂଆଦିଲ୍ଲୀ : ଅକାସା ଏୟାରରେ ଏବେ ଯାତ୍ରୀ ସେମାନଙ୍କ ପାଳିତ ପଶୁପକ୍ଷୀଙ୍କ ସହ ଯାତ୍ରା କରିପାରିବେ। ଏଥି ଲାଗି ଅକ୍ଟୋବର ୧୫ ତାରିଖରୁ ବୁକିଂ ଆରମ୍ଭ ହେବ। ବର୍ତ୍ତମାନ ଏୟାର ଇଣ୍ଡିଆ, ଜେଟ୍ ଏୟାରୱେଜ୍, ସ୍ପାଇସ୍ ଜେଟ୍ ଓ ଭିସ୍ତାରା ନିଜ ବିମାନରେ ଯାତ୍ରୀଙ୍କୁ ପୋଷା ପଶୁପକ୍ଷୀଙ୍କ ସହ ଯାତ୍ରା ଅନୁମତି ଦେଉଛନ୍ତି। ତେବେ ଇଣ୍ଡିଗୋ ଓ ଏୟାର ଏସିଆ ଏଥିଲାଗି ଅନୁମତି ଦେଉ ନାହାନ୍ତି।

ଅକାସା ଏୟାରଙ୍କ ମ୍ୟାନେଜମେଣ୍ଟ କହିଛନ୍ତି ଯେ ଏଥିଲାଗି ଆମକୁ ପ୍ରତି ୧୫ ଦିନରେ ଗୋଟିଏ ବିମାନ ମିଳିବ। ପୋଷା ଜୀବଜନ୍ତୁଙ୍କ ସହିତ ୧ ନଭେମ୍ବରରେ ଅକାସା ଏୟାରର ପ୍ରଥମ ବିମାନ ଉଡିବ। ଅକାସା ଏୟାରଙ୍କ ସହ ସଂସ୍ଥାପକ ତଥା ସିଏମଓ ବେଲସନ କଟିହ୍ନୋ ଆମେ ଯାତ୍ରୀଙ୍କ ଯାତ୍ରା ଅନୁଭବକୁ ଉନ୍ନତ କରିବାକୁ ଉଦ୍ୟମ କରୁଥିବା କହିଛନ୍ତି। ଏହି ଅନୁସାରେ ଯାତ୍ରୀଙ୍କୁ ସେମାନଙ୍କ ପୋଷା ଜୀବଜନ୍ତୁଙ୍କ ସହ ଯାତ୍ରା ଅନୁମତି ଦେବା ଲାଗି ଆମେ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିନୟ ଦୁବେଙ୍କ ସହ ମିଶି ଦିବଙ୍ଗତ ସେୟାର ବଜାର ନିବେଶକ ରାକେଶ ଝୁନଝୁନୱାଲା ଅକାସା ଏୟାରର ସ୍ଥାପନା କରିଥିଲେ। ଅକାସା ଏୟାରର ପ୍ରଥମ ବିମାନ ୭ ଅଗଷ୍ଟ ୨୦୨୨ରେ ନୂଆଦିଲ୍ଲୀ-ଅହମ୍ମଦାବାଦ ମଧ୍ୟରେ ପ୍ରଥମ ଉଡାଣ କରିଥିଲା। କମ୍ପାନୀ ଧିରେ ଧିରେ ଚେନ୍ନାଇ, ବେଙ୍ଗାଲୁର ଓ କୋଚ୍ଚି ପର୍ଯ୍ୟନ୍ତ ତାଙ୍କର ରୁଟ ନେଟୱାର୍କ ସମ୍ପ୍ରସାରଣ କରିଛନ୍ତି।

ଅକାସା ଏୟାର ଏବେ ତାଙ୍କ ବିମାନ ସଞ୍ଚାଳନ ବଢାଉଛନ୍ତି। ସେହି ଅନୁସାରେ ୧୦ ଅକ୍ଟୋବର ୨୦୨୨ ସୁଦ୍ଧା କମ୍ପାନୀ ୯ଟି ରୁଟରେ ପ୍ରତି ସପ୍ତାହ ୨୫୦ରୁ ଅଧିକ ଫ୍ଲାଇଟ୍ ଉଡାଇବାକୁ ଯୋଜନା ରଖିଛନ୍ତି। ଅକ୍ଟୋବର ୭ ତାରିଖରୁ ବେଙ୍ଗାଲୁରୁ ଓ ଅହମ୍ମଦାବାଦ ମଧ୍ୟରେ ଅକ୍ସା ଏୟାରର ନୂଆ ବିମାନ ସେବା ଆରମ୍ଭ ହେବ। ମାର୍ଚ୍ଚ ୨୦୨୩ ଶେଷ ସୁଦ୍ଧା ବିମାନ କମ୍ପାନୀ ତାଙ୍କ ଫ୍ଲିଟ୍‌ରେ ମୋଟ ୧୮ଟି ବିମାନ ସାମିଲ କରିବା  ପାଇଁ ଯୋଜନା କରିଛନ୍ତି।

Related Articles

Back to top button