ଅଗଷ୍ଟ ୨୩ ସନ୍ଧ୍ୟା ସମୟରେ ଖୋଲା ରହିବ ସମସ୍ତ ସ୍କୁଲ

ଆସନ୍ତାକାଲି ଅର୍ଥାତ ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ସମୟରେ ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏହା ପୂର୍ବରୁ ବିକ୍ରମ ଲ୍ୟାଣ୍ଡର ପାଇଁ ଅନୁକୂଳ ସ୍ଥିତି ଚିହ୍ନଟ କରାଯିବ । ତେବେ ଯାନକୁ ଅବତରଣ କରାଯିବା କି ନାହିଁ, ଲ୍ୟାଣ୍ଡିଂ ହେବାର ନିର୍ଦ୍ଧାରିତ ସମୟର ଠିକ ୨ ଘଣ୍ଟା ପୂର୍ବରୁ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

ଯଦି ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂ ହେବନାହିଁ, ତେବେ ଅଗଷ୍ଟ ୨୭ରେ ତାହାକୁ ଅବତରଣ କରାଯିବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ କୁହାଯାଇଛି । ତେବେ ଇତିହାସ ରଚିବାରୁ ଭାରତ ମାତ୍ର କେଇ ପାଦ ଦୂରରେ ରହିଥିବା ବେଳେ ସାରା ଦେଶରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ଏନେଇ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି ।

ତେବେ ଚନ୍ଦ୍ରଯାନ-୩କୁ ନେଇ ଉତ୍ତରପ୍ରଦେଶ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତକାଲି ସନ୍ଧ୍ୟା ୫.୧୫ରୁ ୬.୧୫ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଖୋଲା ରହିବ । ପିଲାମାନେ ସ୍କୁଲରେ ବସି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ଲାଇଭ୍ ପ୍ରସାରଣ ଦେଖିବେ । ଏନେଇ ରାଜ୍ୟ ସ୍କୁଲ ଶିକ୍ଷା ମହାନିର୍ଦ୍ଦେଶକଙ୍କ ପକ୍ଷରୁ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀ, ଓ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚନ୍ଦ୍ରଯାନ-୩ର ଅବତରଣ ଭାରତୀୟ ବିଜ୍ଞାନ, ଇଞ୍ଜିନିୟରିଂ, ଟେକ୍ନୋଲୋଜି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ଛାତ୍ରଛଶତ୍ରୀ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ଉଚିତ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି । ଇସ୍ରୋ ୱେବସାଇଟ୍ ଓ ୟୁଟ୍ୟୁବ ଚାନେଲ ଓ ଡିଡି ନ୍ୟାସନାଲରେ ଏହାର ସିଧା ପ୍ରସାରଣ କରାଯିବ ।

Related Articles

Back to top button