ମୋଦୀ ସରକାର ସମୟରେ କେହି ନେଇପାରିବେନି ଇଞ୍ଚେ ଜାଗ – କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା
ନୂଆଦିଲ୍ଲୀ: ଅମାନିଆ ଚୀନ୍ ପ୍ରସଙ୍ଗକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ପ୍ରତିକ୍ରିୟା ରଖିଛନ୍ତି । ସଂସଦର ବାହାରେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଗୃହ ମନ୍ତ୍ରୀ । ଶାହା ଦୃଢ଼ତାର ସହ କହିଛନ୍ତି, ମୋଦୀ ସରକାର ସମୟରେ କେହି ଭାରତର ଗୋଟିଏ ଇଞ୍ଚ ଜାଗା ନେଇପାରିବେ ନାହିଁ । କଂଗ୍ରେସ ଶାସନ ସମୟରେ ସେମିତି ହେଉଥିଲା । ଚୀନ ଭାରତୀୟ ଅଞ୍ଚଳକୁ ମାଡ଼ି ବସିଥିଲା । ହେଲେ ବର୍ତ୍ତମାନ ଏପରି ହୋଇପାରିବ ନାହିଁ ବୋଲି ରୋକଠୋକ୍ କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।
ତାହାସହ ଗୃହ ମନ୍ତ୍ରୀ ଭାରତୀୟ ଯବାନଙ୍କ ବୀରତ୍ୱକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଆମର ଯବାନ ବୀରତ୍ୱର ସହ ଚୀନ ସେନା ସହ ମୁକାବିଲା କରିଛନ୍ତି । ଚୀନ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା । ଚୀନ ଉଦ୍ୟମର ମାତ୍ର କିଛି ଘଣ୍ଟା ମଧ୍ୟରେ ଭାରତୀୟ ଯାବନ ମାନେ ସେମାନଙ୍କୁ ଉଚିତ ଜବାବ ଦେଇ ତଡ଼ିଦେଇଥିଲେ ।
ସୂଚନା ଥାଉ କି ଗତ ୯ ତାରିଖରେ ଅରୁଣାଚଳ ପ୍ରଦେଶର ତୱାଙ୍ଗ ସେକ୍ଟରରେ ଭାରତ ଓ ଚୀନର ସୈନିକ ମୁହାଁମୁହିଁ ହୋଇଥିଲେ । ସୈନିକ ମାନଙ୍କ ସଂଘର୍ଷରେ ଭାରତର ୬ ଜଣ ଯବାନ ଆହତ ହୋଇଥିବା ବେଳେ, ଚୀନର ଅନେକ ସୈନିକ ଆହତ ହୋଇଥିଲେ ।
ଗତ ସପ୍ତାହରେ ଚୀନ୍ର ପ୍ରାୟ ୩୦୦ ସୈନିକ ପୂର୍ବପ୍ରସ୍ତୁତି କରି ଭାରତର ସୀମାରେ ପ୍ରବେଶ କରିଥିଲେ । ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା । ଗଲଓ୍ୱନ ଘାଟୀ ସଂଘର୍ଷ ପରେ ଏହା ପ୍ରଥମ ଘଟଣାବୋଲି କୁହାଯାଉଛି ।