ପୁଣି ସାମ ପିତ୍ରୋଡା ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ

ଲୋକସଭା ନିର୍ବାଚନ ସମୟରେ ନିଜର ଟିପ୍ପଣୀକୁ ନେଇ ବିବାଦ ଘେରରେ ରହିଥିବା ସାମ ପିତ୍ରୋଡା ଇଣ୍ଡିଆନ ଓଭରସିଜ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତେବେ ଆଜି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ତ୍ୱରିତ ଭାବେ ପୁଣି ସାମଙ୍କୁ ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି । ଏନେଇ ଦଳର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ଏକ ପ୍ରେସ୍ ବୟାନ ଜାରି କରିଛନ୍ତି ।

ଲୋକସଭା ନିର୍ବାଚନ ସମୟରେ ଉତ୍ତରାଧିକାର କର ଉପରେ ଟିପ୍ପଣୀ ଦେଇ ସାମ ବିବାଦ ଘେରକୁ ଆସିଥିଲେ । ଆମେରିକାର ବିରାସନ କରକୁ ନେଇ ସେ ବୟାନ ଦେଇଥିଲେ । ପରବର୍ତ୍ତୀ ସମୟରେ ସାମ୍ ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତେବେ ଲୋକସଭା ନିର୍ବାଚନ ପରେ ପୁଣି ଉକ୍ତ ପଦରେ ସାମଙ୍କୁ ନିଯୁକ୍ତି ଦେଇଛି କଂଗ୍ରେସ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଲୋକସଭାର ବିରୋଧୀ ଦଳ ନେତା ଭାବେ ଘୋଷଣା କରାଯିବାର ଗୋଟିଏ ଦିନ ପରେ ସାମଙ୍କୁ ଏକ ବଡ଼ ନିଯୁକ୍ତି ଦିଆଯାଇଛି । ଅଷ୍ଟାଦଶ ଲୋକସଭା ନିର୍ବାଚନରେ ଭାଜପା ପରେ କଂଗ୍ରେସ ଦ୍ୱିତୀୟ ସର୍ବବୃହତ୍ ଦଳ ଭାବେ ଉଭା ହୋଇଛି । ଇଣ୍ଡିଆ ମେଣ୍ଟ ବୈଠକରେ ଗତ ୨୫ ତାରିଖ ଦିନ ରାହୁଲଙ୍କୁ ବିପକ୍ଷ ଦଳର ନେତା ଭାବେ ଘୋଷଣା କରାଯାଇଥିଲା ।

Related Articles

Back to top button