ସୃଜନଶୀଳତା ନାଁରେ ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ : ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର
ନୂଆଦିଲ୍ଲୀ: ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଓ ବିଷୟବସ୍ତୁ (କଣ୍ଟେଣ୍ଟ)ରେ ଅଶ୍ଳୀଳତା ଏବଂ ଗାଳିଗୁଲଜ ବଢ଼ୁଥିବାରୁ ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଉଦବେଗ ପ୍ରକାଶ କରିଛନ୍ତି । ନାଗପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ସରକାର ଏହି ବିଷୟକୁ ଅତି ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି ।
ଶ୍ରୀ ଠାକୁର କହିଛନ୍ତି ଯେ, ‘‘ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅଶ୍ଳୀଳତାକୁ ବରଦାସ୍ତ କରାଯିବ ନାହିଁ । ଓଟିଟି ପ୍ଲାଟଫର୍ମଗୁଡ଼ିକରେ ଗାଳିଗୁଲଜ ଏବଂ ଅଶ୍ଳୀଳ କାର୍ଯ୍ୟକ୍ରମ ବା କଣ୍ଟେଣ୍ଟ ପ୍ରସାରଣକୁ ନେଇ ସରକାର ଗମ୍ଭୀର ଅଛନ୍ତି । ଏହାକୁ ନେଇ ନିୟମରେ କୌଣସି ପରିବର୍ତ୍ତନ କରିବାର ଆବଶ୍ୟକତା ପଡ଼ିଲେ ମନ୍ତ୍ରଣାଳୟ ସେ ଦିଗରେ ମଧ୍ୟ ବିଚାର କରିବ । କାରଣ ଏସବୁ ପ୍ଲାଟଫର୍ମଗୁଡ଼ିକୁ ସୃଜନଶୀଳତା ପାଇଁ ସ୍ୱାଧୀନତା ମିଳିଛି, କିନ୍ତୁ ଗାଳିଗୁଲଜ କିମ୍ବା ଅଶ୍ଳୀଳତା ପାଇଁ ସେମାନଙ୍କୁ ସ୍ୱାଧୀନତା ଦିଆଯାଇନାହିଁ । ସୀମା ଉଲ୍ଲଙ୍ଘନ କଲେ ସୃଜନଶୀଳତା ନାଁରେ ଗାଳିଗୁଲଜ ଓ ଅସଭ୍ୟତାକୁ ଆଦୌ ସ୍ୱୀକାର କରାଯିବ ନାହିଁ । ଏହା ଉପରେ ଯାହାକିଛି ଜରୁରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ଦେଖାଦେବ ସେଥିରେ ସରକାର ପଛଘୁଞ୍ଚା ଦେବେ ନାହିଁ ।’’