
ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଅରୁଣ ଗୋଏଲ
ନୂଆଦିଲ୍ଲୀ: ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହେଲେ ଅରୁଣ ଗୋଏଲ। ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। ମନ୍ତ୍ରାଳୟ ସୂଚନା ଦେଇ କହିଛି “ ଅବସରପ୍ରାପ୍ତ IAS ଅରୁଣ ଗୋୟଲଙ୍କୁ ନିର୍ବାଚନ କମିଶନର ନିଯୁକ୍ତ କରି ରାଷ୍ଟ୍ରପତି ଖୁସୀ ବ୍ୟକ୍ତ କରିଛନ୍ତି।” ସୂଚନା ଥାଉକି ଅରୁଣ ଗୋୟଲ ୧୯୮୫ ବ୍ୟାଚର ପଞ୍ଜାବ କ୍ୟାଡର ଅବସରପ୍ରାପ୍ତ ଆଇଏଏସ୍ ଅଫିସର।
ଏବେ ତାଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଆଗାମୀ ରାଜ୍ୟମାନଙ୍କର ହେବାକୁ ଥିବା ନିର୍ବାଚନରେ ସେ କାମରେ ଯୋଗ ଦେବେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏବଂ ଇଲେକ୍ସନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେଙ୍କ ସହିତ ଅରୁଣ ପୋଲ୍ ପାନେଲ୍ରେ ଯୋଗ ଦେବେ। ଗତ ୬ ମାସ ହେଲା ଦେଶରେ ନିର୍ବାଚନ କମିଶନରେ ଏହି ତୃତୀୟ ସ୍ଥାନ ଖାଲି ପଡିଥିଲା। ଆଗକୁ ଗୁଜୁରାଟ ନିର୍ବାଚନ ଥିବାରୁ ତା ପୂର୍ବରୁ ଅରୁଣଙ୍କ ନିଯୁକ୍ତି ହୋଇଛି।
ପୂର୍ବତନ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ଚଳିତ ବର୍ଷ ମେ ମାସରେ ଅବସର ନେବା ପରେ ତାଙ୍କ ସ୍ଥାନରେ ରାଜୀବ କୁମାରଙ୍କୁ ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱ ଦିଆଯାଇଥିଲା। ସେବେଠାରୁ ନିର୍ବାଚନ କମିଶନରେ ମାତ୍ର ଦୁଇ ଜଣ ସଦସ୍ୟ ଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିବାକୁ ପଡୁଥିଲା। ଆଗକୁ ନାଗାଲାଣ୍ଡ, ମେଘାଳୟ, ତ୍ରିପୁରା ଏବଂ କର୍ଣ୍ଣାଟକ ନିର୍ବାଚନ ଥିବାରୁ ପୋଲ୍ ପାନେଲ୍କୁ ମଜଭୁତ କରିବାକୁ ଚାହୁଁଥିଲା କମିଶନ। ତେଣୁ ଏହିସବୁ ରାଜ୍ୟରେ ନିର୍ବାଚନ ପୂର୍ବରୁ ଅରୁଣଙ୍କ ନିଯୁକ୍ତି ହୋଇଛି।
ନିର୍ବାଚନ କମିଶନର ନିଯୁକ୍ତି ପୂର୍ବରୁ ଅରୁଣ ଉଦ୍ୟୋଗ ବିଭାଗର ସଚିବ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟରେ ଦାୟିତ୍ୱ ସମ୍ଭାଳି ସାରିଛନ୍ତି। ୨୦୨୨ ଡିସେମ୍ବର ୩୧ ତାରିଖରେ ସେ ଅବସର ନେବାର ଥିଲା। ହେଲେ ନଭେମ୍ବର ୧୮ ତାରିଖରେ ସେ ସ୍ୱଚ୍ଛାକୃତ ଭାବେ ଅବସର ନେଇଯାଇଥିଲେ।
ଅରୁଣ ପଦଭାର ସମ୍ଭାଳିବା ପରେ ରାଜୀବ କୁମାରଙ୍କ ପରେ ସେ ହିଁ ପରବର୍ତ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ହୋଇପାରନ୍ତି। ରାଜୀବ କୁମାରଙ୍କ କାର୍ଯ୍ୟକାଳ ଓଆହୁରି ଦୁଇ ବର୍ଷ ରହିଛି। ସେ ୨୦୨୫ ଫେବ୍ରୁଆରୀରେ ଅବସର ନେବେ।