ଭାରତ ସହିତ ସମ୍ପର୍କକୁ ଜାତୀୟ ସ୍ୱାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରେ ଅଷ୍ଟ୍ରେଲିଆ

ଆତଙ୍କବାଦ ବିରୋଧରେ ଭାରତକୁ ସମର୍ଥନ ଜଣାଇଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ତଥା ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ କହିଛନ୍ତି ଯେ ତାଙ୍କ ଦେଶ ଭାରତ ସହିତ ସମ୍ପର୍କକୁ ଜାତୀୟ ସ୍ୱାର୍ଥ ପାଇଁ ଗୁରୁତ୍ୱପୂର୍ଣ୍ଣ ମନେ କରେ ଏବଂ ଏହାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଥାଏ ।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଆଲୋଚନା ସମୟରେ ମାର୍ଲେସ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତିକୁ ସ୍ୱାଗତ କରିଥିଲେ । ଏହା ଭାରତୀୟ ନେତୃତ୍ୱଙ୍କ ଯୋଗୁଁ ସମ୍ଭବ ହୋଇପାରିଲା ବୋଲି ସେ କହିଛନ୍ତି । ବୈଠକରେ ଭାରତ ଏବଂ ଅଷ୍ଟ୍ରେଲିଆ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି ଏବଂ ସ୍ଥିରତା ପାଇଁ ରଣନୈତିକ ସହଯୋଗ ବିସ୍ତାର କରିବାକୁ ସହମତ ହୋଇଛନ୍ତି । ବୈଠକରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ସୀମାପାର ଆତଙ୍କବାଦକୁ ପାକିସ୍ତାନ କିଭଳି ସମର୍ଥନ ଦେଇ ଆସିଛି ସେହି ପ୍ରସଙ୍ଗରେ ଆଲୋଚନା ହୋଇଛି । ଉଭୟ ଦେଶ ପହଲଗାମ ଆତଙ୍କୀ ହମଲାକୁ ନିନ୍ଦା କରିବା ସହ ପୀଡିତ ପରିବାର ପ୍ରତି ସମବେଦନା ପ୍ରକାଶ କରିଥିଲେ। ରାଜନାଥ ସିଂହ ତାଙ୍କ ମନ୍ତବ୍ୟରେ ପହଲଗାମ ଆକ୍ରମଣର ଜବାବରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଅଷ୍ଟ୍ରେଲିଆର ସମର୍ଥନକୁ ପ୍ରଶଂସା କରିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ରିଚାର୍ଡ ମାର୍ଲେସ୍ କହିଛନ୍ତି ଯେ ଭାରତ ପାକିସ୍ତାନ ସମର୍ଥିତ ଆତଙ୍କବାଦ ବିରୁଦ୍ଧରେ ଆତ୍ମରକ୍ଷାର ନିଜ ଅଧିକାରର ପ୍ରୟୋଗ କରିଛି । ପହଲଗାମ ଆକ୍ରମଣ ପରେ ଭାରତ ସଂଯମତାର ସହ ଆତଙ୍କୀମାନଙ୍କୁ ଜବାବ ଦେଇଛି । ଭାରତର କାର୍ଯ୍ୟାନୁଷ୍ଠାନ ଉତ୍ତେଜନା ବୃଦ୍ଧି କରିବା ଦିଗରେ ନ ଥିଲା ବରଂ ନିଜ ଆତ୍ମରକ୍ଷା ପାଇଁ ଉଦ୍ଦିଷ୍ଟ ଥିଲା । ସେ ଏହା ମଧ୍ୟ କହିଛନ୍ତି, ଭାରତ ନିଜର ପଶ୍ଚିମ ସୀମାରେ କଠିନ ସମସ୍ୟାର ସମ୍ମୁଖୀନ ହେଉଛି । ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀଙ୍କ ଏହି ଯାତ୍ରାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀ ଉପରେ ଗୁରୁତ୍ୱ ଦିଆଯାଇଛି । ରାଜନାଥ ସିଂ ଓ ମାର୍ଲେସ ଅଷ୍ଟ୍ରେଲିଆ ଓ ଭାରତ ଯୁଗ୍ମ ଅନୁସନ୍ଧାନ ପ୍ରକଳ୍ପ ଉପରେ ହସ୍ତାକ୍ଷରକୁ ସ୍ୱାଗତ କରିଛନ୍ତି ।

Related Articles

Back to top button