ଉତ୍ତରପ୍ରଦେଶରେ ଅଧିକ ଥଣ୍ଡା ଯୋଗୁଁ ସ୍କୁଲ ଖୋଲିବା ସମୟ ବଦଳିଲା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ହୋଇଥିବା ବେଳେ ପାରଦ କମିବାରେ ଲାଗିଛି । ଲୋକଙ୍କୁ ଅଧିକ ଥଣ୍ଡାର ସାମ୍ନା କରିବାକୁ ପଡ଼ୁଛି । ଶୀତ ଲହରୀକୁ ଦୃଷ୍ଟିରେ ରଖି ଲଖନଉ ଜିଲ୍ଲା ପ୍ରଶାସନ ଅଷ୍ଟମ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ପୂର୍ବହ୍ନ ୧୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ କରିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ରାଜ୍ୟର ପୂର୍ବ ଭାଗର ଅଧିକାଂଶ ଅଞ୍ଚଳ ସକାଳେ କୁହୁଡିରେ ଆଚ୍ଛାଦିତ ହୋଇଥିଲା ।ଗତ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ହ୍ରାସ ପାଇଥିବା ମଧ୍ୟ ରେକର୍ଡ କରାଯାଇଥିଲା ।

ଏହାରି ମଧ୍ୟରେ ଲଖନଉ ଜିଲ୍ଲାଧିକାରୀ ଶୀତ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରିଷଦ, ସହାୟକ ତଥା ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ସମେତ ସମସ୍ତ ବୋର୍ଡ ସ୍କୁଲ ପୂର୍ବାହ୍ନ ୧୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ମହାରାଜଗଞ୍ଜ, ସିଦ୍ଧାର୍ଥନଗର, ଗୋରଖପୁର, କୁସିନାଗର, ଦେଓରିଆ, ସାନ୍ତକବୀରନଗର, ସାହାରନପୁର, ମୁଜାଫରନଗର, ଆମ୍ରୋହା ଏବଂ ବିଜନୋରରେ ସକାଳ ଓ ସନ୍ଧ୍ୟାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି ।

ଏହା ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ କୁହୁଡ଼ି ହେବାର ସମ୍ଭାବନା ରହିଛି । ଏହି ସମୟରେ ଶୀତରୁ ମୁକ୍ତି ପାଇବାର କୌଣସି ସମ୍ଭାବନା ନାହିଁ । କୁହୁଡି ଯୋଗୁଁ ଜୀବନ ବହୁତ ପ୍ରଭାବିତ ହୋଇଛି । ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ବସ୍ ଚଳାଚଳ ସମ୍ପର୍କରେ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ପରିବହନ ମନ୍ତ୍ରୀ ଦିନଶଙ୍କର ସିଂଙ୍କ ଅନୁଯାୟୀ, ଘନ କୁହୁଡ଼ି ପଡ଼ିବା ପରେ ପରିବହନ ନିଗମର ବରିଷ୍ଠ ଅଧିକାରୀଙ୍କୁ ରାତି ବସ ସେବା ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ସୂତ୍ର ଅନୁଯାୟୀ, ରାଜ୍ୟରେ ଘନ କୁହୁଡ଼ି ହେତୁ ଅନେକ ଦୂର ଦୂରଗାମୀ ଟ୍ରେନ୍ ଅନେକ ଘଣ୍ଟା ବିଳମ୍ବରେ ଚାଲୁଛି ।

Related Articles

Back to top button