ମେ’ ୯ ତାରିଖରେ ସାରା ଦେଶରେ ହେବ ସାମୁହିକ ହନୁମାନ ଚାଳିଶା ପାଠ
ନୂଆଦିଲ୍ଲୀ: ସାରା ଦେଶରେ ହେବ ସାମୁହିକ ହନୁମାନ ଚାଳିଶା ପାଠ । ମେ’ ୯ ତାରିଖରେ ସାରା ଦେଶରେ ଏକ ସମୟରେ ଗୁଞ୍ଜରିତ ହେବ ହନୁମାନ ଚାଳିଶା । ଏହି ହନୁମାନ ଚାଳିଶା ପାଠ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜନ କରାଯାଉଛି । କ୍ଷମତାକୁ ଆସିଲେ ବଜରଙ୍ଗ ଦଳକୁ ବ୍ୟାନ କରିବା ପାଇଁ କଂଗ୍ରେସର ଘୋଷଣାକୁ ତୀବ୍ର ବିରୋଧ କରିଛି ବିଜେପି । ଏହାର ପ୍ରତିବାଦରେ ଦେଶବ୍ୟାପି ହନୁମାନ ଚାଳିଶା ପାଠ ପାଇଁ ଆହ୍ୱାନ ଦେଇଛି ଦଳ ।
ବିଶ୍ୱ ହିନ୍ଦୁ ପରିଷଦର ମହାମନ୍ତ୍ରୀ ମିଳିନ୍ଦ ପରାଣ୍ଡେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ମହାରାଷ୍ଟ୍ର, କର୍ଣ୍ଣାଟକ, ଛତିଶଗଡ ପରି ଅନେକ ରାଜ୍ୟରେ କଂଗ୍ରେସ ଦଳର ଅନେକ ନେତା ବଜରଙ୍ଗ ଦଳକୁ ବନ୍ଦ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ବଜରଙ୍ଗ ଦଳ ପରି ଦେଶଭକ୍ତ ସଂଗଠନର ତୁଳନା ପିଏଫଆଇ ପରି ଦେଶଦ୍ରୋହ ସଂଗଠନ ସହ ତୁଳନା ଅତ୍ୟନ୍ତ ଅପମାନଜନକ । ହିନ୍ଦୁ ସମାଜ ନିଶ୍ଚିତ ଭାବେ ଏହି ନେତାଙ୍କୁ ଏହାର ଜବାବ ଦେବ ।