ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତା ପ୍ରସଙ୍ଗକୁ ବିରୋଧ କଲା ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ

ନୂଆଦିଲ୍ଲୀ : ଭାରତରେ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦିଆଯିବ କି ନାହିଁ, ସେନେଇ ସୁପ୍ରିମକୋର୍ଟରେ ମଙ୍ଗଳବାରଠାରୁ ଶୁଣାଣି ଆରମ୍ଭ ହୋଇଛି। ତେବେ ରବିବାର ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ(ବିସିଆଇ) ଏହାକୁ ବିରୋଧ କରି ଏକ ସଂକଳ୍ପ ପାରିତ କରିଥିବା ଜଣାପଡିଛି । ସଂକଳ୍ପରେ କୁହାଯାଇଛି ଯେ, ସମଲିଙ୍ଗୀ ବିବାହକୁ ଆଇନଗତ କରିବା ଦେଶରେ ବ୍ୟାପକ ପ୍ରଭାବ ପକାଇବ । କାରଣ ଭାରତ ଏକ ସାମାଜିକ-ଧାର୍ମିକ ବିବିଧତାର ଦେଶ । ତେଣୁ ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ସାମାଜିକ ପ୍ରଣାଳୀ ଉପରେ ଗଭୀର ପ୍ରଭାବ ପକାଇବ । ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ଏହା ମଧ୍ୟ କହିଛି, ସର୍ବୋଚ୍ଚ ଅଦାଲତଙ୍କ ସମଲିଙ୍ଗୀ ବିବାହ ମାନ୍ୟତା ଉପରେ ଯାହାବି ରାୟ ଆସିବ, ତାହା ସମାଜ ପାଇଁ ଅଧିକାଂଶ ଭାବରେ ବିପଦଜନକ ହୋଇପାରେ । ଏହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ଓ ନୈତିକ ଦୃଷ୍ଟିକୋଣରୁ ମଧ୍ୟ ଏହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ଅଟେ । ମୋଟାମୋଟି ସଂକଳ୍ପରେ ସମଲିଙ୍ଗୀ ବିବାହର ଆଇନଗତ ମାନ୍ୟତାକୁ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ ପକ୍ଷରୁ ବିରୋଧ କରାଯାଇଛି ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ମଧ୍ୟ ବୁଧବାର ସମଲିଙ୍ଗୀ ବିବାହ ମାମଲା ଶୁଣାଣିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପକ୍ଷଭୁକ୍ତ କରିବା ଲାଗି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସାନି ସତ୍ୟପାଠ ଦାଖଲ କରିସାରିଛନ୍ତି। ସାନି ସତ୍ୟପାଠରେ, କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ, ସମଲିଙ୍ଗୀ ବିବାହ ସଂକ୍ରାନ୍ତ ବିତର୍କ ରାଜ୍ୟ ବିଧାନସଭା ପରିସରଭୁକ୍ତ ହୋଇଥିବାରୁ ସେମାନଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯିବା ଉଚିତ ବୋଲି । କାରଣ, ଏ ବିଷୟରେ ସେମାନଙ୍କର ମଧ୍ୟ ମତାମତ ଅତ୍ୟାବଶ୍ୟକ। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଏହି ମାମଲାର ପକ୍ଷ ହୋଇ ୧୦ ଦିନ ମଧ୍ୟରେ ନିଜ ନିଜର ମତାତମ ଦାଖଲ କରନ୍ତୁ ବୋଲି କେନ୍ଦ୍ର ସରକାର କହିଛନ୍ତି।

Related Articles

Back to top button