
ଟ୍ରେନ୍ ଅପରିଷ୍କାର କଲେ ଏଣିକି ଦେବାକୁ ପଡିବ ଜରିମନା
ନୂଆଦିଲ୍ଲୀ: ରେଳ ଯାତ୍ରା ସମୟରେ ଆମେ ପ୍ରାୟତଃ ଅପରିଷ୍କାର ପରିବେଶର ସମ୍ମୁଖୀନ ହୋଇଥାଏ। ସଫାସଫି ପରେ ଧୁଆଧୋଇ ହୋଇ ଟ୍ରେନ ଯାତ୍ରାରେ ବାହାରିଥାଏ। ଯାତ୍ରା ଆରମ୍ଭର କିଛି ସମୟ ପର୍ଯ୍ୟନ୍ତ ବଗି ଭିତର ବେଶ୍ ସଫାସୁତୁରା ଥାଏ। କ୍ରମଶଃ ଯାତ୍ରା ଆଗକୁ ବଢିବା ସହ ଟ୍ରେନରେ ଅଳିଆ ଆବର୍ଜନା ମଧ୍ୟ ବଢିବାରେ ଲାଗିଥାଏ। ଏପରି ଅଳିଆ ଆବର୍ଜନାର ମୁଖ୍ୟ କାରଣ ହୋଇଥାନ୍ତି ଯାତ୍ରୀ। ସେମାନେ ଚକଲେଟର ଜରି, ବାଦାମ ଚୋପା, ଚା କପ୍, ଫଳ ଚୋପା ଓ ଖାଇବା ଥାଳି ଆଦିକୁ ଡଷ୍ଟବିନରେ ପକାଇବା ବଦଳେ ସିଟ ତଳେ ପକାଇ ଦେଇଥାନ୍ତି।
ତେବେ ଟ୍ରେନକୁ ଅପରିଷ୍କାର କରୁଥିବା ଯାତ୍ରୀଙ୍କ ଲାଗି ଭାରତୀୟ ରେଳ ନୂଆ ଯୋଜନା ହାତକୁ ନେଇଛନ୍ତି। ଏଥିରେ ଟ୍ରେନକୁ ଅପରିସ୍କାର କରୁଥିବା ଲୋକଙ୍କୁ ୧୦୦ ଟଙ୍କାରୁ ୫୦୦ ଟଙ୍କା ଜରିମନା ଲାଗି ବ୍ୟବସ୍ଥା କରୁଛନ୍ତି। କେବଳ ଜରିମନା ନୁହେଁ ଏପରି ଲୋକଙ୍କୁ ସାର୍ବଜନିକ ଅପମାନିତ ମଧ୍ୟ କରାଯିବ। ଏଥିଲାଗି ଟିଟିଇଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ଟ୍ରେନ୍ରେ ଟିକେଟ୍ ଯାଞ୍ଚ କରିବା ସହିତ ବଗିକୁ ଅପରିସ୍କାର କରୁଥିବା ଲୋକଙ୍କୁ ମଧ୍ୟ ଧରିବେ।
ଟ୍ରେନର ସାଫସଫେଇ ପାଇଁ ଯାତ୍ରୀଙ୍କୁ ଜରିମନା କରାଯିବା ସହ ଏପରି ଅପରିଷ୍କାର ନ କରିବା ଲାଗି ସଚେତନ ମଧ୍ୟ କରାଯିବ। ଏଥିଲାଗି ସଚେତନତା ଅଭିଯାନ ମଧ୍ୟ ଚଳାଯିବ। ରେଳଷ୍ଟେସନରେ ଯାତ୍ରୀଙ୍କୁ ପ୍ଲାଟଫର୍ମ ଓ ଟ୍ରେନର ସାଫସଫେଇ ନେଇ ଲଗାତାର ଆନାଉନ୍ସ କରାଯିବ। ଏହାଛଡା ସ୍ୱଚ୍ଛତା ଲାଗି ଅନ୍ୟ ମାଧ୍ୟମରେ ମଧ୍ୟ ସଚେତନ କରାଯିବ।
ଉଲ୍ଲେଖଯୋଗ୍ୟ ଯେ ଶୀତ ଋତୁରେ ଟ୍ରେନରେ ଅସ୍ୱାସ୍ଥ୍ୟକର ପରିବେଶ ପରିସ୍ଥିତିକୁ ଅଣାୟତ କରେ। ଯାତ୍ରା କାଳରେ ଲୋକେ ସମୟ କାଟିବା ଲାଗି ବାଦାମ ଖାଇବାକୁ ପସନ୍ଦ କରନ୍ତି। ତେବେ କିଛି ଯାତ୍ରୀ ବାଦାମ ଖାଇସାରିବା ପରେ ଚୋପାକୁ ଡଷ୍ଟବିନରେ ପକାଇଥାନ୍ତି ହେଲେ ଅନେକ ଯାତ୍ରୀ ଏପରି କରି ନଥାନ୍ତି। ବାଦାମ ହେଉ କି ଫଳ ଖାଇ ଲୋକେ ଚୋପା ସିଟ୍ ତଳକୁ ପକାଇ ଦେଇଥାନ୍ତି।