
ଦେଶର ସବୁଠୁ ବଡ଼ ବ୍ୟାଙ୍କ ଦୁର୍ନୀତି! ୩୪,୬୧୫ କୋଟି ଟଙ୍କାର ଘୋଟାଲା
ସିବିଆଇ ତଦନ୍ତ ପରିସରକୁ ଆସିଥିବା ଆଜି ଯାଏଁ ଏହା ସବୁଠୁ ବଡ଼ ବ୍ୟାଙ୍କ ଘୋଟାଲା
ଦେଶର ସବୁଠୁ ବଡ ବ୍ୟାଙ୍କ ଦୁର୍ନୀତି । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱାଧୀନ ୧୭ଟି ବ୍ୟାଙ୍କର ସମୁହ ସହ ୩୪,୬୧୫ କୋଟି ଟଙ୍କାର କଥିତ ଘୋଟାଲା। ଏହି ମାମଲାରେ ଡିଏଚଏଫଏଲର ନିର୍ଦ୍ଦେଶକ କପିଲ ୱଧାୱନ ଏବଂ ଧୀରଜ ୱଧାୱନଙ୍କ ବିରୋଧରେ ମାମଲା ରୁଜୁ କରିଛି ସିବିଆଇ। କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ ତଦନ୍ତ ପରିସରକୁ ଆସିଥିବା ଏହା ଆଜି ଯାଏଁର ସବୁଠୁ ବଡ଼ ବ୍ୟାଙ୍କ ଘୋଟାଲା। ଏହା ପୂର୍ବରୁ ଏବିଜି ଶିପୟାର୍ଡ ନାଁରେ ୨୩ ହଜାର କୋଟିର ସବୁଠୁ ବଡ଼ ବ୍ୟାଙ୍କ ଦୁର୍ନୀତି ମାମଲା ରୁଜୁ କରାଯାଇଥିଲା।
କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଏହି ମାମଲାରେ ଅଭିଯୁକ୍ତଙ୍କ ୧୨ଟି ସ୍ଥାନରେ ଚଢଉ କରିଛି । ଦୀବନ ହାଉସିଂ ଫାଇନାସ କର୍ପୋରେସନ ଲିମିଟେଡର ତତ୍କାଳୀନ ପ୍ରବନ୍ଧ ନିର୍ଦ୍ଦେଶକ କପିଲ ୱଧାୱନ, ଧୀରଜ ୱଧାୱନ ଏବଂ ତାଙ୍କ ରିୟଲ୍ଟୀ ସେକ୍ଟରର ଛଅ କମ୍ପାନି ବିରୋଧରେ ୩୪,୬୧୫ କୋଟି ଟଙ୍କାର ଘୋଟାଲା ପାଇଁ ଅପରାଧିକ ଷଡଯନ୍ତ୍ରରେ ସାମିଲ ହେବା ନେଇ ମାମଲା ରୁଜୁ କରିଛି ସିବିଆଇ। ୨୦୨୨ ଫେବ୍ରୁଆରୀ ୧୧ରେ ବ୍ୟାଙ୍କର ଅଭିଯୋଗ ଆଧାରରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉଲ୍ଲେଖଯୋଗ୍ୟ ଯେ, ୟସ୍ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ସହ ଜଡିତ କଥିତ ଭ୍ରଷ୍ଟାଚାର ମାମଲାରେ ୱଧାୱନ ବନ୍ଧୁ ସିବିଆଇ ତଦନ୍ତ ପରିସରରେ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ଡିଏଫଏଚଏଲ ଏକ ହାଉସିଂ ଫାଇନାନ୍ସ କମ୍ପାନି । କପିଲ ୱଧାୱନ ଏହାର ସିଏମଡି ଥିଲେ । ଗତ ବର୍ଷ ସେପ୍ଟେମ୍ୱର ମାସରେ ପିରାମଲ କ୍ୟାପିଟାଲ ଏବଂ ହାଉସିଂ ଫାଇନାନ୍ସ ୩୪,୨୫୦ କୋଟି ଟଙ୍କାରେ ଡିଏଚଏଫଏଲର ଅଧିଗ୍ରହଣ କରିଥିଲା।