ବର୍ଜ୍ୟ ସାମଗ୍ରୀରେ ଭୋପାଳର ଶିଳ୍ପୀ ତିଆରି କଲେ ବିଶ୍ୱର ସବୁଠାରୁ ବଡ ବୀଣା

ଭୋପାଳ: ବର୍ତ୍ତମାନ ସମୟରେ ଆବର୍ଜନାକୁ କିଭଳି ପୁନଃ ବ୍ୟବହାର ଉପଯୋଗୀ ହେବ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଉଛି । ଏନେଇ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଜ୍ୟବସ୍ତୁକୁ ନେଇ କଳାକୃତି ନିର୍ମାଣ ହୋଇଥିବା ବେଳେ ଭୋପାଳର ଜଣେ ଶିଳ୍ପୀ ଏହାକୁ ସଠିକ୍ ପରିଚାଳନା କରି ଚର୍ଚ୍ଚିତ ହୋଇଛନ୍ତି । ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଶିଳ୍ପୀ ପୱନ ଦେଶପାଣ୍ଡେ ବର୍ଜ୍ୟବସ୍ତୁକୁ ବ୍ୟବହାର ଏକ ବିଶାଳ ବୀଣା ତିଆରି କରିଛନ୍ତି । ଏହା ଏବେ ବିଶ୍ୱର ସବୁଠାରୁ ବଡ଼ ବୀଣା ଭାବେ ପ୍ରସିଦ୍ଧ । ବର୍ତ୍ତମାନ ଏହା ଭୋପାଳର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଭୋପାଳର ଟିଟି ନଗର ଅଞ୍ଚଳ ରାସ୍ତାର ପ୍ଲାଟିନମ୍ ପ୍ଲାଜା ନିକଟରେ ଏହି ବୀଣା ସ୍ଥାପନ କରାଯାଇଛି । ଏହି ବିଶାଳ ବୀଣାରେ ପାଞ୍ଚ ଟନ୍ ସ୍କ୍ରାପ୍ ବ୍ୟବହାର କରାଯାଇଛି । ଏହା ଶିଳ୍ପୀ ପୱନଙ୍କ ସହ ତାଙ୍କର ଦଶ ଜଣିଆ ଟିମ୍ ଦ୍ୱାରା ନିର୍ମିତ ହୋଇଛି । ବୀଣାର ଲମ୍ବ ୨୮ ଫୁଟ ହୋଇଥିବା ବେଳେ ଉଚ୍ଚତା ୧୨ ଫୁଟ ଏବଂ ପ୍ରସ୍ଥ ୧୦ ଫୁଟ । ଏଥିରେ ଚେନ୍‌, ବିୟରିଂ, ତାର,   କ୍ଲଚ୍ ପ୍ଲେଟ୍‌, ଡ୍ରମ୍ ଚକ ଏବଂ ଅନ୍ୟାନ୍ୟ ସ୍କ୍ରାପ୍ ବ୍ୟବହାର କରାଯାଇଛି । ଏହାକୁ ତିଆରି କରିବା ପାଇଁ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଏହାକୁ ରଙ୍ଗ ଦେବା ପାଇଁ ୨୦ ଲିଟର ପେଣ୍ଟ ଏବଂ ୫୦ ଲିଟର ବାର୍ଣ୍ଣିସ୍ ବ୍ୟବହାର କରାଯାଇଛି । ଯାହାଦ୍ୱାରା ଏହା ଆକର୍ଷଣୀୟ ହୋଇପାରିଛି । ଏଥିରେ ଆଲୋକୀକରଣ କରାଯିବା ସହ ଏଠାରେ ଲୋକମାନେ ବସି ସଙ୍ଗୀତ ଶୁଣିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏଥିସହିତ ଏଠାରେ ସେଲଫି ପଏଣ୍ଟ ମଧ୍ୟ କରାଯାଇଛି । ଏହାକୁ ଦେଖିବାକୁ ପ୍ରତ୍ୟେକ ଦିନ ବହୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଏହାକୁ ଶିଳ୍ପୀ ପୱନ ଦେଶପାଣ୍ଡେ ପ୍ରସ୍ତୁତ କରି ନିଜ ନାମକୁ ଇତିହାସରେ ଯୋଡି ପାରିଛନ୍ତି ।
ଭୋପାଳର ସ୍ୱଚ୍ଛତା ପାଇଁ ମ୍ୟୁନିସିପାଲିଟି କର୍ପୋରେସନ୍ ସହିତ କାର୍ଯ୍ୟ କରୁଛନ୍ତି ପୱନ ଦେଶପାଣ୍ଡେ । ସେ ବର୍ଜ୍ୟ ସାମଗ୍ରୀରୁ ତିନି ଟନ୍ ରେଡିଓ ତିଆରି କରିଛନ୍ତି, ଯାହା ସହରର ରୋଶନପୁରା ଛକଠାରେ ରହିଛି । ଏଥିସହିତ ବାଡେ ତାଲାବ ନିକଟରେ ୧୨୫୦ କିଲୋଗ୍ରାମର ଗିଟାର ଏବଂ ଭୋପାଳ ମ୍ୟୁନିସିପାଲ କର୍ପୋରେସନର ଲୋଗୋ ମଧ୍ୟ ପ୍ରସ୍ତୁତ କରି ଚର୍ଚ୍ଚାକୁ ଆସିଥିଲେ ।

Related Articles

Back to top button