
ରମଜାନ ମାସରେ ବିହାରରେ ବଦଳିଲା ମୁସଲିମ କର୍ମଚାରୀମାନଙ୍କ ପାଇଁ ଡ୍ୟୁଟି ସମୟ
ନୂଆଦିଲ୍ଲୀ: ରମଜାନ ମାସରେ ବିହାର ସରକାର ମୁସଲିମ କର୍ମଚାରୀମାନଙ୍କୁ ଏକ ଘଣ୍ଟା ପୂର୍ବରୁ ଡ୍ୟୁଟି ପାଇଁ ରିପୋର୍ଟ କରିବାକୁ ଏବଂ ଏକ ଘଣ୍ଟା ପୂର୍ବରୁ ଛାଡିବାକୁ ଅନୁମତି ଦେଇଛନ୍ତି। ଏହି ବର୍ଷ ରମଜାନ ମାସ ୨୨ ମାର୍ଚ୍ଚରୁ ଆରମ୍ଭ ହେଇ ୨୧ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ତେବେ ଏହି ସୁବିଧା ଉଭୟ କର୍ମଚାରୀ ଏବଂ ଅଧିକାରୀଙ୍କ ପାଇଁ ଉପଲବ୍ଧ ହେବ ।
ବିହାରର ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଏହି ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶକୁ ବିହାର ସରକାରଙ୍କ ମୁଖ୍ୟ ସଚିବ ସମସ୍ତ ବିଭାଗ, ସେମାନଙ୍କ ମୁଖ୍ୟ, ଡିଜିପି, ଜିଲ୍ଲା ଅଧିକାରୀ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ନିକଟକୁ ପଠାଇଛନ୍ତି। ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ ଯେଉଁଠାରେ ବାୟୋମେଟ୍ରିକ୍ ଉପସ୍ଥାନ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି ,ସେଠାରେ ସେମାନଙ୍କ ଉପସ୍ଥିତି ଅନୁସାରେ ଚିହ୍ନିତ ହେବ, ଅର୍ଥାତ୍ ମୁସଲିମ୍ କର୍ମଚାରୀମାନେ ଏକ ଘଣ୍ଟା ପୂର୍ବରୁ ଉପସ୍ଥାନ ଦେଇପାରିବେ ।
ରମଜାନ ସମୟରେ ମୁସଲମାନମାନେ ଉପବାସ କରନ୍ତି ଖାଦ୍ୟ ଖାଆନ୍ତି ନାହିଁ ଏବଂ ଏହା ସହ ଦିନସାରା ପାଣି ମଧ୍ୟ ପିଅନ୍ତି ନାହିଁ । ସନ୍ଧ୍ୟାରେ ଉପବାସ ଭାଙ୍ଗିବା ପରେ କିଛି ଖାଆନ୍ତି କିମ୍ବା ପାନ୍ୟ ଗ୍ରହଣ କରନ୍ତି। ଏହାକୁ ଧ୍ୟାନରେ ରଖି ବିହାରର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ଯାହାଦ୍ୱାରା ମୁସଲିମ କର୍ମଚାରୀ ଓ ଅଧିକାରୀମାନେ ଡ୍ୟୁଟିରେ ଥିବାବେଳେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ଏବଂ ସେମାନଙ୍କର ଉପବାସ ମଧ୍ୟ ସଠିକ୍ ଭାବରେ ଚାଲିବ ।