ମିଳିତ ସମରାଭ୍ୟାସ କରିବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଅନ୍ତର୍ଗତ ଭାରତ ଦ୍ୱାରା ଆୟୋଜିତ ଆତଙ୍କବାଦ ବିରୋଧୀ ସମରାଭ୍ୟାସରେ ମଧ୍ୟ ପାକିସ୍ତାନ ଅଂଶଗ୍ରହଣ କରିବ। ବୈଦେଶିକ ମନ୍ତ୍ରଣାଳୟର ଖବର ଅନୁସାରେ ପାକିସ୍ତାନୀ ଗଣମାଧ୍ୟମ ଏହି ସୂଚନା ଦେଇଛି। ପାକିସ୍ତାନର ଏକ ଅଗ୍ରଣୀ ଖବରକାଗଜ ଅନୁଯାୟୀ ପାକିସ୍ତାନୀ ଏବଂ ଭାରତୀୟ ସୈନ୍ୟ ଏକତ୍ର ଆତଙ୍କବାଦ ବିରୋଧୀ ଅଭ୍ୟାସରେ ଅଂଶଗ୍ରହଣ କରିବେ। ଭାରତରେ ଏଭଳି ଅଭ୍ୟାସରେ ପାକିସ୍ତାନ ପ୍ରଥମ ଥର ଅଂଶଗ୍ରହଣ କରିବାକୁ ଯାଉଛି।

ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅସୀମ ଇଫତିଖାରଙ୍କ ସାପ୍ତାହିକ ଗଣମାଧ୍ୟମ ସମ୍ମିଳନୀକୁ ଉଦ୍ଧୃତ କରି ଖବରକାଗଜ ଏହାର ରିପୋର୍ଟରେ କହିଛି ଯେ ଏସସିଓର ଆଞ୍ଚଳିକ ଆତଙ୍କବାଦ ବିରୋଧୀ ଢ଼ାଞ୍ଚା (ଆରଏଟିଏସ) ଅନ୍ତର୍ଗତ ଚଳିତ ବର୍ଷ ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଆତଙ୍କବାଦ ବିରୋଧୀ ସମରାଭ୍ୟାସରେ ପାକିସ୍ତାନ ଅଂଶଗ୍ରହଣ କରିବ।

ମୁଖପାତ୍ର କହିଛନ୍ତି ଯେ ଏହି ଅଭ୍ୟାସ ଏସସିଓ ଆରଟିଏସ ଅଧୀନରେ ହେବ। ଭାରତ ଚଳିତ ବର୍ଷ ଏସସିଓ ଆରଟିଏସର ଅଧ୍ୟକ୍ଷତା କରୁଛି। ସେ କହିଛନ୍ତି ଯେ ଏହି ସମରାଭ୍ୟାସ ଅକ୍ଟୋବର ମାସରେ ଭାରତର ମାନସର ଠାରେ ଅନୁଷ୍ଠିତ ହେବ। ଯେହେତୁ ପାକିସ୍ତାନ ଏହାର ସଦସ୍ୟ, ଆମେ ଏଥିରେ ଭାଗ ନେବୁ।

ଭାରତ ସହିତ ରୁଷିଆ, ଚାଇନା, ପାକିସ୍ଥାନ, ଇରାନ, କାଜାଖସ୍ତାନ, କିରଗିଜସ୍ତାନ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ ହରିୟାଣାର ମାନସରରେ ଆୟୋଜିତ ହେବାକୁ ଥିବା ଏହି ମିଳିତ ସମରାଭ୍ୟାସରେ ଅଂଶଗ୍ରହଣ କରିବେ। ଭାରତ ଏବଂ ପାକିସ୍ତାନ ଏସସିଓ ବ୍ୟାନରରେ ନଅ ସଦସ୍ୟ ବିଶିଷ୍ଟ ବେଜିଂ ଭିତ୍ତିକ ଆଞ୍ଚଳିକ ସଂସ୍ଥାର ଅଂଶ ବିଶେଷ।

Related Articles

Back to top button